Unknown

ନମସ୍କାର

ଲେଖକ:- ଶ୍ରୀ ବଟକୃଷ୍ଣ ପ୍ରହରାଜ

 

ଅନାମ

କାମ ପଡ଼ିଲା । ମାନ୍ଦ୍ରାଜ ଗଲି । ଗୋଟିଏ ବଡ ହୋଟେଲରେ ରହିଲି । ଓଳିଏ ଖଣ୍ଡେ ଯାଇଛି କି ନାହିଁ, ଚିନ୍ତାପାଣ୍ଡୁ ଓ ମେରି-ପୋକାଇଲାଙ୍କର ଅତ୍ୟାଚାରରେ ସେଠାରେ ରହିବା ମୋ ପକ୍ଷରେ ଅସମ୍ଭବ ହୋଇ ପଡ଼ିଲା । ବହୁ କଷ୍ଟରେ ନଗରର ଦକ୍ଷିଣ ଉପକଣ୍ଠରେ ଗୋଟିଏ ହୋଟେଲର ଆଶ୍ରୟ ନେଲି, ଯେଉଁଠାରେ କି ଏମାନଙ୍କ ଦାଉରୁ ସାମାନ୍ୟ ନିଷ୍କୃତି ମିଳିଲା; ମାନ୍ତ୍ର ସବୁବେଳେ ‘କୁର୍‌ଚଣ୍ଡି’, ‘ନେନୁତ୍ୱାଲ୍‌ତାନୁ’ ଇତ୍ୟାଦି ଦୁର୍ବୋଧ୍ୟ କଥା ଶୁଣି ଶୁଣି କାନର ଅରୁଚି ଧରିଗଲା ।

 

ଖରା ଦିନଟା । ରାତି ପ୍ରାୟ ନଅଟା ହେବ । ହୋଟେଲର କ୍ଷୁଦ୍ର ଅଗଣାରେ ଖଣ୍ଡିଏ ଜୀର୍ଣ୍ଣ ଚୌକିରେ ବସିଲି । ସୁଖସ୍ପର୍ଶ ସାନ୍ଧ୍ୟସମୀରଣରେ ଆଖି ପତା ଲାଗି ଲାଗି ଆସିଲା । ହଠାତ୍ ହୋଟେଲ ସଂଲଗ୍ନ କୌଣସି ଲୋକର ସମାଜ ବା ଆଶା ଖବରକାଗଜ ପଢୁଥିବାର ନିଦ କୁଆଡ଼େ ଉଭେଇଗଲା, ବଡ଼ । ବହୁଦିନ ପରେ ଓଡ଼ିଆ ଗୋଟିଏ ସ୍ୱପ୍ନ ଆନନ୍ଦ ଅନୁଭବ କଲି । କିଛିକ୍ଷଣ ପରେ କାଗଜ-ପଢ଼ା ବନ୍ଦ ହେଲା । ଖାଇକରି ଶୋଇଲି ।

 

ତହିଁ ଆରଦିନ ସକାଳୁ ଉଠି ନିତ୍ୟକର୍ମ ଶେଷ କରି ପଦାକୁ ବାହାରି ସେହିଘର ଦାଣ୍ଡ ଦୁଆର ପାଖରେ ପହଞ୍ଚିଲି । ଦାଣ୍ଡ କବାଟ ମେଲା ଥିଲା । ଜଣେ ଦୀର୍ଘକାୟ ମୁସଲମାନ ପ୍ରୌଢ଼ ଦାଣ୍ଡଘର ଚୌକିରେ ବସିଥିଲେ । ସେ ଘର ନୁହେ ବୋଲି ଅନୁମାନକରି ବାହୁଡ଼ି ଆସୁଥିଲି, ମାତ୍ର ସେହି ମୁସଲମାନ ଭଦ୍ରଲୋକଟି ଦାଣ୍ଡ ପିଣ୍ଡାକୁ ଆସି ମତେ ପଚାରିଲେ, “କିସ୍‌କୁ ତଲାଶ୍ କର୍ତ୍ତେହୋ” ମୁଁ ମୋର ବିଶୁଦ୍ଧ ଉର୍ଦ୍ଦୁ ଭାଷା-ଜ୍ଞାନର ପରିଚୟ ଦେଇ କହିଲି,

 

“ଆପ୍‌କା ପାଖେ ଓଡ଼ିଆ ଖବରକାଗଜ ପାୟାଯାତା ହେ ।

”ଭଦ୍ରଲୋକ- ଆପ୍ ଓଡ଼ିଆ ପଢନେ ଶକ୍ତେ ହେଁ ।

 

ମୁଁ- ହାମ୍ ଓଡ଼ିଆ । ଏହାପରେ କି କ୍ରିୟାପଦ ବ୍ୟବହାର କରିବି ତାହା ନ ପଇଟିବାରୁ ଅଳ୍ପ ଅଳ୍ପ ହସି କରି ମୁଣ୍ଡ ଟୁଙ୍ଗାରି ଦେଲି । ସେ ଭଦ୍ରଲୋକ ତଳକୁ ଓହ୍ଲାଇ ଆସି ମୋ ହାତ ଧରି ବଡ଼ ଆଦରରେ “ଆସନ୍ତୁ ” କହି ଘର ମଧ୍ୟକୁ ମତେ ଘେନି ଗଲେ ।

 

ମତେ ଖଣ୍ଡିଏ ଚୌକିରେ

 

ମୁଁ – କଟକ ଜିଲା ।

ସେ – କଟକ ଜିଲା କେଉଁ ଗାଁ ?

ମୁଁ – ଜଗତ୍‌ସିଂହପୁର ।

ସେ – ଜଗତ୍‌ସିଂହପୁର, ନା ତା ପାଖରେ କେଉଁଠାରେ ?

ମୁଁ – ତରତଙ୍ଗ ।

ସେ – ନନ୍ଦ ସାହିରେ ?

ମୁଁ – ହଁ ନନ୍ଦ ସାହିରେ । ଆପଣତ ଆମର ସେଆଡ଼ କଥା କୁଆଡୁ ଜାଣିଛନ୍ତି । ଆପଣଙ୍କ ଘର?

ସେ – ମହେନ୍ଦିପୁର ।

ମୁଁ – କେଉଁ ମହେନ୍ଦିପୁର ।

ସେ – ବାଲିଆ ମହେନ୍ଦିପୁର ।

 

ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି- ମହେନ୍ଦିପୁର ! ମୋ ମାମୁଘର ମହେନ୍ଦିପୁର । ମୁଁ ଭଲ କରି ଜାଣେ, ସେ ଗାଁରେ ତ କୌଣସି ମୁସଲମାନ ଘର ନାହିଁ ।

 

ସେ – ମୁଁ ଜାତିରେ ବ୍ରାହ୍ଣଣ ଥିଲି । ବର୍ତ୍ତମାନ ମୁସଲମାନ ଧର୍ମ୍ମ ଗ୍ରହଣ କରିଛି । ଏ କଥା ଶୁଣି ବୋଧହୁଏ ମୋ ମୁଁହରେ ଗୋଟାଏ ଘୃଣା ଓ ତାଚ୍ଛଲ୍ୟର ଭାବ ଖେଳିଗଲା । ମିଆଁ ସାହେବ ତାକୁ ଲକ୍ଷକରି ବଡ କରୁଣ କଣ୍ଠରେ କହିଲେ, “ମୋତେ ବାଧ୍ୟ ହୋଇ ମୁସଲମାନ ଧର୍ମ୍ମ ଗ୍ରହଣ କରିବାକୁ ପଡ଼ିଲା ।”

 

ଏହା ଶୁଣି ମୁଁ ମନେ ମନେ ବିରକ୍ତ ହୋଇ କହିଲି, ଆଜିକାଲି ତ କିଛି ଆଓରଙ୍ଗଜେବଙ୍କ ଅମଳ ହୋଇ ନାହିଁ ଯେ ଆପଣଙ୍କୁ କିଏ ବାଧ୍ୟ କଲା ।

 

ମିଆଁ ସାହେବ କ୍ଷଣକାଳ ମୌନାବଲମ୍ୱନ କରି କହିଲେ- ଆଜିକାଲି ସିନା କୌଣସି ରାଜଶକ୍ତି ଧର୍ମ୍ମାନ୍ତର ଗ୍ରହଣ କରିବାକୁ କାହାକୁ ବାଧ୍ୟ କରୁ ନାହିଁ; ମାନ୍ତ୍ର ହିନ୍ଦୁ ସମାଜର ଅତ୍ୟାଚାର ଫଳରେ ଆଜି ଯେ କେତେ ଲୋକ ବାଧ୍ୟ ହୋଇ ଅନ୍ୟ ଧର୍ମ୍ମ ଗ୍ରହଣ କରୁଛନ୍ତି, ତାର ହିସାବ କିଏ ରଖୁଛି ? ଅପରିମାଣଦର୍ଶୀ ସମାଜର ବ୍ୟବସ୍ଥା ଫଳରେ ଆଜି ପାକିସ୍ଥାନର “ଭୈରବ ରଡ଼ି” ଓ ସାମ୍ପ୍ରଦାୟିକ ଦଙ୍ଗାହେଙ୍ଗାମାର ନଗ୍ନ ତାଣ୍ଡବ ସ୍ୱାଧୀନତା ପଥରେ ଅଚଳ ମହାମେରୁ ପରି ଦଣ୍ଡାୟମାନ ।

 

ଏତକ ଏକା ନିଶ୍ୱାସରେ କହି ଦେଇ ମିଆଁ ସାହେବ ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ି ଭିତର ଆଡ଼କୁ ଚାହିଁ କରି ଡାକିଲେ, “ରଜିଆ ବିବି ! ଦି’ଖଣ୍ଡ ପାନ ଆଣିଲ, ଆମରି ଆଡ଼ର ଜଣେ ଭଦ୍ରଲୋକ ଆସିଛନ୍ତି ।”

 

ମୁଁ ମନେକରିଥିଲି ଘଟାଟୋପରେ ଆପଦମସ୍ତକ- ଆବୃତ୍ତା ରଜିଆ ବେଗମଙ୍କର ଆବିର୍ଭାବ ହେବ । ମାନ୍ତ୍ର ହସ ହସ ମୁହଁରେ ରଜିଆ ବିବି ଗୋଟିଏ ଥାଳିଆରେ ପାନଖିଲ ଘେନି ପହଞ୍ଚିଲେ । ଦେଖିଲି ଘଟାଟୋପ ନାହିଁ କିମ୍ୱା ବ୍ରହ୍ମାଣ୍ଡ ଯାକର ଫାସିଆ ତାଙ୍କ କାନରେ ଏକତ୍ରିତ ହୋଇ ନାହାନ୍ତି । ସେ ମୋ ପାଖରେ ଥାଳିଆଟି ଥୋଇଦେଇ ଘର ଭିତରକୁ ଚାଲିଗଲେ । ପାନ ଖାଇଲି ମାତ୍ର ଗୁଣ୍ଡି କଡ଼ା ହେବାରୁ ମୋ ମୁହଁ ଝାଳେଇ ଗଲା । ଏହା ଦେଖି ମିଆଁ ସାହେବ କହିଲେ, “ଗୁଣ୍ଡି କଡ଼ା ହେଲା ପରା, ମୁହଁଟା ଧୋଇ ପକାନ୍ତୁ” ମୋ ମୁହଁକୁ ଅନାଇଲେ । ତାଙ୍କ ମୁହଁର ଭାବଭଙ୍ଗିରୁ ମୁଁ ଅନୁମାନ କଲି, ସେ ବୋଧହୁଏ ତାଙ୍କ ଘରୁ ପାଣି ମଗାଇବାକୁ କୁଣ୍ଠିତ ହେଉଛନ୍ତି । କାରଣ ମୁସଲମାନଘର ପାଣିରେ ମୁହଁ ଧୋଇବାକୁ ମୋର ଆପତ୍ତି ଥାଇପାରେ ବୋଲି ସେ ସନ୍ଦେହ କରୁଛନ୍ତି । ମୁଁ ତାଙ୍କ ମନୋଗତ ବୁଝିପାରି କହିଲି- “ହଉ ତେବେ ଗିଲାସେ ପାଣି ମଗାନ୍ତୁ ।” ରଜିଆବିବି ବୋଧହୁଏ ସେହି କବାଟ ସେପାଖରେ ଥିଲେ । ମୋ କଥା ଶୁଣି ପାଣି ଗିଲାସେ ଆଣି ମୋ ହାତକୁ ବଢାଇ ଦେଲେ । ମୁଁ ଦାଣ୍ଡ ପିଣ୍ଡାକୁ ଯାଇ ମୁଁହ ଧୋଇକରି ଫେରିଲି । ଚୌକିରେ ବସି ଗିଲାସରେ ଥିବା ଅବଶିଷ୍ଟ ପାଣିତକ ପିଇ ଦେଲି । ରଜିଆ ବିବି ତାଙ୍କ ସ୍ୱାମୀଙ୍କର ଚୌକି ପାଖରେ ଠିଆ ହୋଇଥିଲେ । ଗିଲାସରୁ ପାଣି ପିଇବାର ଦେଖି ତାଙ୍କ ସ୍ୱାମୀଙ୍କୁ କହିଲେ- “ଆଚ୍ଛା ! ବାବୁ ଆମଘରେ ଜଳଖିଆ କରିବାକୁ ଆପତ୍ତି କରିବେକି ?” ମିଆଁ ସାହେବ କିଛି କହିବା ପୂର୍ବରୁ ମୁଁ ରଜିଆବିବିଙ୍କ ଆଡ଼କୁ ଅନାଇକରି କହିଲି- “ମୋର ଆପଣଙ୍କ ଘରେ ଭାତ ଖାଇବାକୁ ମଧ୍ୟ କୌଣସି ଆପତ୍ତି ନାହିଁ । ମାନ୍ତ୍ର ମୁଁ ଗୋମାଂସକୁ ଘୃଣା କରେ । ମିଆଁ ସାହେବ- ଆମେ ତ ଗୋମାଂସ ସ୍ପର୍ଶ କରୁନାହୁଁ । ଏପରିକି ଆମେ ଦୁହେଁ କୌଣସି ମାଂସ ଖାଉନାହୁଁ । ତେବେ ଆପଣ ନିଶ୍ଚୟ ଆଜି ସନ୍ଧ୍ୟାକୁ ଆମଘରେ ଖାଇବେ । ଆଉ ମୋର ଓ ରଜିଆବିବିଙ୍କର ପୂର୍ବ ଇତିହାସ ଶୁଣିବେ । ଆପଣଙ୍କ ଆଗରେ କହିଲେ ମୋ ମନରେ ଗୋଟାଏ ଶାନ୍ତି ଆସିବ ।

 

ସନ୍ଧ୍ୟାବେଳେ ନିମନ୍ତ୍ରଣରକ୍ଷାର ପ୍ରତିଶ୍ରୁତି ଦେଇ ହୋଟେଲକୁ ଫେରିଲି ।


ପ୍ରଥମ ସନ୍ଧ୍ୟା

ପ୍ରକୃତରେ ସେମାନଙ୍କର ପୂର୍ବ- ବୃତ୍ତାନ୍ତ ଜାଣିବାକୁ ମନରେ ବଡ଼ କୌତୁହଳ ଜନ୍ମିଲା । ଠିକ୍ ସନ୍ଧ୍ୟାକୁ ଯାଇଁ ତାଙ୍କ ଘରେ ପହଞ୍ଚିଲି । ମିଆଁ ସାହେବ ବଡ଼ ଆଦର ସହକାରେ ମୋତେ ପାଛୋଟି ନେଲେ । ଭିତର ଖଞ୍ଜାରେ ଯାଇଁ ବସିଲୁ । ରଜିଆ ବିବି ରୁଷାଇ କରୁଥିଲେ । ହସ ହସ ମୁହଁରେ ମୋ ପାଖରେ ପହଞ୍ଚିକରି କହିଲେ— “ଖାଇବାକୁ ହୋଇଗଲାଣି । ଆମେତ ସହଜେ ଗରିବ, ତହିଁରେ ପୁଣି ଜନମମାଟିର ସବୁ ମାୟା ମମତାରେ ଜଳାମଞ୍ଜଳି ଦେଇ, ଭାଇ ବନ୍ଧୁକୁଟୁମ୍ୱମାନଙ୍କଠାରୁ ଅଲଗା ହୋଇ ଏ ଦୂରଦଶରେ ପଡ଼ିଛୁ । ଆପଣଙ୍କୁ କିପରି ଭାବରେ ଚର୍ଚ୍ଚା କରିବୁ?” ଏତକ କହିଲାବେଳେ ତାଙ୍କର ସେ ନିସର୍ଗ ସୁନ୍ଦର ଆଖି ଦିଓଟି ଲୁହରେ ଛଳଛଳ ହୋଇଗଲା ଓ ସେ ସେଘରୁ ଚାଲିଗଲେ । ତାଙ୍କର ଏ ଭାବାନ୍ତର ଲକ୍ଷ କରି ସେମାନଙ୍କର ଅଖ୍ୟାୟିକା ଜାଣିବା ପାଇଁ ମନ ଆହୁରି ବ୍ୟଗ୍ର ହୋଇ ଉଠିଲା ।

 

ମୋ ପାଇଁ ଓ ମିଆଁ ସାହେବଙ୍କ ପାଇଁ ଖାଇବାକୁ ବଢ଼ାଗଲା । ଦୁହେଁଯାକ ଯାଇଁ ଖାଇବସିଲୁ । ସରୁଚକୁଳି ଛୁଞ୍ଚିପତ୍ର, ନକ୍ଷତ୍ରଇଣ୍ଡୁରି, ଦୁଧ ଓ ଅନେକ ପ୍ରକାର ତିଅଣ, ସବୁ ଆମରି ଆଡ଼ର ଖାଦ୍ୟ । ବହୁଦିନ ପରେ ଆଜି ଏ ଖାଦ୍ୟ ଖାଇ ବଡ଼ ତୃପ୍ତି ଲାଗିଲା । ବିଶେଷତଃ ଚିନ୍ତାପାଣ୍ଡୁ ଓ ମେରି ପୋକାଇଲୁଙ୍କ ସଙ୍ଗରେ ମୋଟେ ଦେଖାନାହିଁ କହିଲେ ଚଳେ । “ତ୍ରାହି ମଧୁସୂଦନ” କହି ପୁର୍ଣ୍ଣଗ୍ରାସ ଚଢ଼ାଇଲି । ମୋର ପୁର୍ଣ୍ଣଗ୍ରାସ ଦେଖି ଓ ମୋଠାରୁ ରଜିଆ ବେଗମଙ୍କର ରନ୍ଧନ କୁଶଳତାର ପ୍ରଶଂସା ଶୁଣି, ସେ ଦୁଇ ପ୍ରାଣୀଯାକ କୃତକୃତ୍ୟ ହୋଇଗଲେ । ଅତି ଆପଣାର ପ୍ରିୟବାନ୍ଧବ ପରି ମୋ ପ୍ରତି ସେମାନଙ୍କର ବ୍ୟବହାର ଦେଖି ବଡ଼ ଆନନ୍ଦ ଅନୁଭବ କଲି । ଖାଇସାରି ଦାଣ୍ଡ ଘରେ ଆସି ବସିଲୁ । ମୋର ଅନୁରୋଧରେ ମିଆଁ ସାହେବ ଆରମ୍ଭ କଲେ:-

 

ମୋର ଜନ୍ମ ନା ପିତାମ୍ୱର । ମୁଁ ଜାତିରେ ବ୍ରାହ୍ମଣ ଥିଲି । ସାତ ବର୍ଷ ଦିନୁ ମାଛେଉଣ୍ଡ, ତଥାପି ବୃଦ୍ଧା ପିଉସୀଙ୍କର ଯତ୍ନ ଓ ବାପାଙ୍କର ସ୍ନେହାଦର ଯୋଗୁଁ ବୋଉର ଅଭାବ ଅନୁଭବ କରି ନ ଥିଲି । ଆମର ଅଧିକ କିଛି ସମ୍ପତିବାଡ଼ି ନଥିଲା, ତଥାପି ଆମେ ବଡ଼ ଆନନ୍ଦରେ ଚଳୁଥିଲୁ; କାରଣ ବାପା ପୁରୋହୀତ ବୃତ୍ତିରୁ ଭଲ ଚାରିପଇସା ପାଉଥିଲେ । ମୁଁ ଗ୍ରାମ ପାଠଶାଳାର ପଢ଼ା ଶେଷ କରି, ସିଦ୍ଧେଶ୍ୱରପୁର ମାଇନର ସ୍କୁଲରେ ନାଁ ଲେଖାଇଲି । ଚାରିବର୍ଷ ପରେ ମାଇନର ପାଶ୍ କଲି । ମୋର ବୟସ ଟିକିଏ ଅଧିକ ହୋଇ ଯାଇଥିଲା । ସେତେବେଳକୁ ମତେ ଷୋଳ ବର୍ଷ । କଟକରେ ମତେ ପଢ଼ାଇବା ପାଇଁ ବାପାଙ୍କର ଭାରି ଇଚ୍ଛା, ମାତ୍ର କଟକ ଖର୍ଚ୍ଚ ଚଳାଇବା ତାଙ୍କ ପକ୍ଷରେ ଅସମ୍ଭବ । ତେବେ ମାଗିଜାଚି କରି ପଢାଇବେ ବୋଲି ବାପା ମନରେ ଦମ୍ଭ ବାନ୍ଧିଲେ । ବାପ ପୁଅ, ଦୁହେଁ ମିଶି ଆମ ଗାଁ ପାଖ ବିରିଡ଼ିର ଦୀନବାବୁ ମୁକ୍ତ୍ୟାରଙ୍କ ବସାକୁ ଗଲୁ । ବାପା ଦୀନୁବାବୁଙ୍କୁ ମୋର ପଢ଼ା ପାଇଁ କିଛି ସାହାଯ୍ୟ ପ୍ରାର୍ଥନା କଲେ । ମାତ୍ର ଦୀନୁବାବୁ ଗୋଟିଏ ଭଲବାଟ ବତାଇଲେ । ତାଙ୍କର ଆଠବର୍ଷର ଗୋଟିଏ ଝିଅ ଓ ଛଅବର୍ଷର ପୁଅ ଥିଲେ । କଥା ହେଲା, ମୁଁ ତାଙ୍କ ବସାରେ ରହି ସେମାନଙ୍କୁ ପଢ଼ାଇବି ଓ ଦୀନୁବାବୁ ମୋର ସମସ୍ତ ଖରଚ ବହନ କରିବେ । ମୁଁ ପିଲାଲୋକ, କାଳେ ପଢ଼ାଇ ପାରିବି ନାହିଁ ବୋଲି ବାପା ପ୍ରଥମରେ ରାଜି ହେଲେ ନାହିଁ । ମାତ୍ର ଦୀନୁବାବୁ ବାପାଙ୍କୁ ଅଭୟ ଦେଇ କହିଲେ, ସେ ସବୁକଥା ଚଳାଇ ନେବେ । ବାପା ରାଜି ହେଲେ । ମୋ ନା ଏକାଡେମିରେ ଲେଖା ହେଲା । ବାପା ଗ୍ରାମକୁ ବାହାରିଲେ । ବିଦେଶରେ ସବୁବେଳେ ଦେହ ପା ପ୍ରତି କିପରି ନଜର ରଖିବାକୁ ହେବ ଓ ଦୀନୁବାବୁଙ୍କ କଥାକୁ ସବୁବେଳେ କିପରି ମାନି ଚଳିବାକୁ ହେବ, ଏ ବିଷୟରେ ଅନେକ ଗୁଡ଼ିଏ ଉପଦେଶ ଦେଇ ବାପା ବିଦାହେଲେ । ବାପାଗଲା ବେଳେ ମତେ ଭାରି କାନ୍ଦ ମାଡ଼ିଲା ଓ ମୁଁ କଇଁ କଇଁ ହୋଇ କାନ୍ଦି ପକାଇଲି । ବାପା ମଧ୍ୟ ତାଙ୍କର ମାତୃଶୁନ୍ୟ ଏକମାତ୍ର ପୁତ୍ରଟିଠାରୁ ବିଦାୟ ନେଲାବେଳେ ଆଖିରୁ ଲୁହ ଗଡ଼ାଇ ପକାଇଲେ ।

 

ବିଦେଶ ଦେହସୁହା ହୋଇଗଲା । ବାପା ବି ମଧ୍ୟେ ମଧ୍ୟେ ଆସି ମୋର ଖବରଅନ୍ତର ବୁଝି ଯାଆନ୍ତି । ମୁଁ ଥାର୍ଡ଼କ୍ଲାସକୁ ଉଠିଲି । ହଠାତ୍ ଦିନେ ବାପାଙ୍କର କାଳ ହୋଇଗଲା । ଗ୍ରାମକୁ ଯାଇ କୌଣସି ପ୍ରକାର ତାଙ୍କର ଶୁଦ୍ଧଶ୍ରାଦ୍ଧ ଶେଷକରି କଟକ ଫେରି ଆସିଲି । ସେହିଦିନଠାରୁ ଗ୍ରାମ ସହିତ ମୋର ସମସ୍ତ ସମ୍ପର୍କ ତୁଟିଗଲା ।

 

ଦୀନୁବାବୁଙ୍କ ବସାରୁ ଦୁଇଚାରୋଟି ଘରଛାଡ଼ି ଦାମ ମୋହରିରଙ୍କ ବସା । ଦାମବାବୁଙ୍କ ଘର ମାହଙ୍ଗା । ଘର ସହିତ ପ୍ରାୟ ତାଙ୍କର କୌଣସି ବିଶେଷ ସର୍ମ୍ପକ ନ ଥାଏ । ବସାଖଣ୍ଡିକ ତାଙ୍କ ନିଜର । କଟକରେ ଓକିଲ ମୋହରିର କାମ କରି ଚାରି ପଇସା ରୋଜଗାର କରି ଚଳନ୍ତି, ତାଙ୍କ ସ୍ତ୍ରୀ ବହୁଦିନ ଆଗରୁ ମରି ଯାଇଥିଲେ । ବସାରେ ତାଙ୍କର ବିଧବାଶାଳୀ ସେବତୀ ଓ ଏଗାର ବାରବର୍ଷର କନ୍ୟା ରଜନୀ ଥାନ୍ତି । ରଜନୀଟି ଭାରି ସୁନ୍ଦରୀ । ତକ୍ ତକ୍ ଗୋରା ଚେହେରା, ମୁହଁଟି ‘ଠ’ ପରି ବର୍ତ୍ତୁଳ । ଚନ୍ଦ୍ରମାରେ କୌମୁଦୀ ଲାଗି ରହିଲା ପରି ସେ ଚହଟଚିକ୍‌କଣ ମୁହଁରେ ସବୁବେଳେ ଗୋଟିଏ ମଧୁର ଦରସ୍ମିତର ନିର୍ଯ୍ୟାସ ବୋଳା ହେଲାପରି ଦିଶୁଥାଏ । ନୀଳକଇଁର ପାଖୁଡ଼ାରେ ପାଣି ପଡ଼ି ଢ଼ଳ ଢ଼ଳ ହେଲାପରି ତା ଆଖିର ଡ଼ୋଳା ଦିଓଟି ସବୁବେଳେ ଚଞ୍ଚଳ । ଖଣ୍ଡାପରି ତୀଖ ନାକ । ଦିଓଟି ପାତଳ ରଙ୍ଗ-ଟହଟହ ଓଠ । ଦେଖିଲେ ପେଟ ପୁରି ଉଠେ ।

 

ମତେ ସେ ପଡାରେ ସମସ୍ତେ, “ମାଷ୍ଟେରେ, ମାଷ୍ଟେରେ” ବୋଲି ଡାକନ୍ତି । ମୁଁ ଅନେକ ସମୟରେ ତାଙ୍କ ବସାକୁ ଯାଏ । ରଜନୀ ଗଙ୍ଗାମନ୍ଦିର ସ୍କୁଲରେ ପଢ଼ୁଥିଲା । ପ୍ରାୟ ଅଳ୍ପଦିନ ହେଲା ପଢା ଛାଡ଼ି ଦେଇଛି । କାରଣ ତାର ସେବତୀ ମାଉସୀ ମନା କଲେ, କହିଲେ “ମାଇପି ଝିଅ, ଯେତେ ପଢ଼ିଲେ କଅଣ ହେଲା, ସେହି ଚୂଲ୍ଲି ମୁଣ୍ଡକୁ ଯୋଗ୍ୟ ।”- ରଜନୀକୁ ମୁଁ ଭଲ ଭଲ ବହିସବୁ ଆଣି ପଢ଼ିବାକୁ ଦିଏ । ବେଳେବେଳେ ତା ସାଙ୍ଗରେ ଟିକିଏ ରଙ୍ଗ ରହସ୍ୟ ବି କରେ । ଭବିଷ୍ୟତର ଗୋଟିଏ ରଙ୍ଗିନ୍ ଆଶା ମନରେ ପୋଷଣ କରି ମୁଁ ତାକୁ ପେଟ ଭିତରେ ଭାରି ସ୍ନେହକରେ । ଅନେକ ସମୟରେ ତା ପାଖରେ ବସି ପୁରାଣମାନଙ୍କରୁ, ସୀତା, ସାବିତ୍ରୀ ଓ ନଳଦମୟନ୍ତୀଙ୍କର ଉପାଖ୍ୟାନ ଗପ କରେ ।

 

କିଛି ଦିନ ପରେ ବାଧ୍ୟ ହୋଇ ମତେ ପଢ଼ା ଛାଡ଼ିବାକୁ ପଡ଼ିଲା । କାରଣ ଦୀନୁବାବୁଙ୍କର ପିଲାଙ୍କୁ ଦିଓଳି ପଢ଼ାଇବା, ବଜାର ସଉଦା କରିବା, ଡ଼ାକ୍ତର ଘରୁ ଦୀନୁବାବୁଙ୍କର ସ୍ତ୍ରୀଙ୍କ ପାଇଁ ଦୁଇଓଳି ଓଷଦ ଆଣିବା ଓ ଅନ୍ୟାନ୍ୟ କାମରେ ସବୁବେଳେ ବ୍ୟସ୍ତ ରହିବାରୁ, ଜମାରୁ ପଢ଼ା ପଢ଼ି କରି ପାରିଲି ନାହିଁ । ଶେଷରେ ଦୀନୁବାବୁଙ୍କର ସୁପାରିଶ ବଳରେ ଗଙ୍ଗାମନ୍ଦିର ନିମ୍ନପ୍ରାଥମିକ ବିଦ୍ୟାଳୟରେ ପନ୍ଦର ଟଙ୍କା ଦରମାରେ ଦ୍ୱିତୀୟ ଶିକ୍ଷକ କାର୍ଯ୍ୟରେ ମୁକରିର୍ ହେଲି । ଖାଇବା ପିନ୍ଧିବା ଦୀନୁବାବୁଙ୍କ ଆଡ଼ୁଚଳେ । ଦରମାତକ ଡ଼ାକଘରେ ଜମା କରେ ।

 

ବର୍ଷେ କାଳ ସ୍କୁଲ ମାଷ୍ଟରି, ଦୀନୁବାବୁଙ୍କ ପିଲାଙ୍କ ମାଷ୍ଟରି, ଦୀନୁବାବୁଙ୍କର ଛିଟିପିଲା କାମ ଓ ରଜନୀକୁ ସ୍ନେହସୁହାଗ କରିବାରେ କାନ କୁଣ୍ଡାଇଲା ପରି କୁଆଡ଼େ ଚାଲିଗଲା ।

 

ଦଶହରା ଛୁଟି ହେଲା । ଦୀନୁବାବୁଙ୍କ ସଙ୍ଗରେ ତାଙ୍କ ଗ୍ରାମକୁ ଗଲି । ସେଠାରେ ମୋର ଖାଲି ସବୁବେଳେ ରଜନୀ କଥା ମନେ ପଡିଲା । କିପରି ଶୀଘ୍ର କଟକ ଯାଇଁ ରଜନୀଙ୍କୁ ଦେଖିବି ବୋଲି ଢ଼ହଳ ବିକଳ ହେଲି । ମତେ ପନ୍ଦର ଦିନ, ପନ୍ଦର ବର୍ଷ ପରି ଲାଗିଲା । କଟକ ଫେରିଲୁ । ଲୁଗାପଟା ନ ବଦଳି ଧାଇଁଲି ରଜନୀଙ୍କ ବସାକୁ । ରଜନୀକୁ ଦେଖିଲି, ମାତ୍ର ଆଜି ତାର ପୂର୍ବର ସେ ପିଲାଳିଆ ଭାବଭଙ୍ଗି ନାହିଁ । କିପରି ଗୋଟାଏ ଲଜ୍ଜା ସଙ୍କୋଚ ମିଶା ବ୍ୟବହାର, କିନ୍ତୁ ସେ ଦିନ ସେ କାହିଁକି ମୋ ଆଖିକୁ ଭାରି ସୁନ୍ଦର ଦିଶିଲା । ମନେହେଲା, ସବୁକାମ ଛାଡ଼ି ତାର ସେହି ମୁହଁଟିକୁ ଚାହିଁକରି ବସିଥାଆନ୍ତିକି ? ମାଉଷୀଙ୍କର ମଧ୍ୟ ଭାବ ପରିବର୍ତ୍ତନ ଲକ୍ଷକଲି । ତୁଚ୍ଛାଟାକୁ ମୋ ଉପରେ ଓ ରଜନୀ ଉପରେ ଖାଲି ଚିଡ଼ିଚିଡ଼ିହେଲେ । କେତେ କଥା ରଜନୀକୁ କହିବି ବୋଲି ମନରେ ଭାବିକରି ଆସିଥିଲି । ମାତ୍ର ସବୁ କଥା ଅକୁହା ରହିଗଲା । ବଡ଼ ଦୁଃଖରେ ବସାକୁ ଫେରିଲି । ଆଉ ତାଙ୍କ ବସାକୁ ଯିବିନାହିଁ ବୋଲି ପ୍ରତିଜ୍ଞା କଲି । ତହିଁ ଆର ଦିନ ସ୍କୁଲକୁ ଗଲି । ଭଲ କରି ପଢ଼ାଇ ପାରିଲି ନାହିଁ । “ମାଉଷୀ କାହିଁକି ଚିଡ଼ିଲେ”, ଏହି ପ୍ରଶ୍ନ ମନରେ ବାରମ୍ୱାର ଉଦିତହେଲା । କେତେ କଥା ଭାବିଲି, ମାତ୍ର କୌଣସି କାରଣ ସ୍ଥିର କରି ପାରିଲି ନାହିଁ । ଚାରିଟା ବେଳେ ବସାକୁ ଫେରିଲି । ଗୋଡ଼ ଦୁଇଟା ଖାଲି ତାଙ୍କ ବସା ଭିତରକୁ ପଶିଯିବାକୁ ଓଟାରି ହେଉଥାଏ । ମନେ ମନେ ସ୍ଥିର କଲି ନାହିଁ ! କାଲି ମାଉସୀ ଏତେ ଅପମାନ ଦେଲେ, ଆଉ ତାଙ୍କ ବସାକୁ ଯିବିନାହିଁ । କାଳୀଠାକୁରାଣୀଙ୍କ ଆଡ଼େ ଚାଲିଲି । ମାତ୍ର ମୋ ଗୋଡ଼ ଦିଟାକୁ କିଏ ଓଟାରି ଧରିଲା । ଆଉ ଆଗକୁ ଯାଇ ପାରିଲି ନାହିଁ, ପଛକୁ ଫେରିଲି । ଦେଖିଲି ମୋ ଭିତରେ ଦୁଇଟା ମନ ହୋଇଯାଇଛି । ଗୋଟାଏ କହୁଛି ତାଙ୍କ ବସାକୁ ଯିବାକୁ । ଆଉ ଗୋଟାଏ କହୁଛି, “ନା ଯାଆନା ।” ଶେଷରେ ଯେ ଯିବାକୁ କହୁଥିଲା, ତାହାରହିଁ ଜୟହେଲା । ଗୋଡ଼ ଚିପି ଚିପି ତାଙ୍କ ବସାକୁ ପଶିଲି । ଯାହା ଦେଖିଲି, ଚକ୍ଷୁସ୍ଥିର ହୋଇଗଲା । ଭାବିଲି ମୁଁ ବୋଧହୁଏ ଗୋଟିପଣେ ମିଳାଇଯାଇ ପାଣି ପରି ବୋହିଯିବି । ରଜନୀ ଖଣ୍ଡିଏ ଛୋଟ ଗାମୁଛା ପିନ୍ଧି ଢ଼ାଳଟିଏ ଧରି ପାଇଖାନାରୁ ଆସୁଛି । ଅଙ୍କୁରିତ ଯୌବନର ଉଲ୍ଲସିତ ଚିହ୍ନଗୁଡ଼ିକ ଯେପରିକି ସେ ଛୋଟ ଗାମୁଛା ଖଣ୍ଡିକୁ ଠେଲି କରି ଫୋପାଡ଼ି ଦେଉଛି । ମତେ ହଠାତ୍ ଦେଖି ରଜନୀର ହାତରୁ ଢାଳଟି ଖସି ପଡ଼ିଲା । ତାର ସେ ସହଜ ମନୋଜ୍ଞ ମୁହଁଟି ରଙ୍ଗ ପଡ଼ିଗଲା । ସେ ମୋ ଆଡ଼କୁ ଟିକିଏ ଅନାଇ ଦେଇ ଅଳ୍ପ ହସି ତରତର ହୋଇ ଘର ଭିତରକୁ ପଶିଗଲା । ଏହି ସମୟରେ ମାଉସୀଙ୍କର କର୍କଶ ସ୍ୱର ଶୁଣାଗଲା, “ପୋଡ଼ାମୁହିଁ ! ଢ଼ାଳଟା ଭାଙ୍ଗିଦେଲୁ” । ମୁଁ ମଧ୍ୟ ଅତର୍ଚ୍ଛ ହୋଇ ପଳାଇ ଆସିଲି । ଏତେବେଳେ ଯାଇଁ ଯାଣିଲି ନଡିଆର କେଉଁ ଶୀରାରେ ପାଣି ପଶୁଛି । ମାଉସୀଙ୍କର ଚିଡ଼ି ଚିଡ଼ି ହେବାର ଉଦ୍ଦେଶ୍ୟ ।

 

ଏହି ସମୟରେ ରଜିଆ ବେଗମ୍ ଭିତର ପଟରୁ ଡାକିଲେ, “ସାଢ଼େ ଏଗାରଟା ବାଜିଲା, କେତେ ଗପୁଛୁ” ।

ମନ ହେଉଥାଏ କଥାଟା ଶେଷ ପର୍ଯ୍ୟନ୍ତ ଶୁଣିବାକୁ । ମାତ୍ର ମିଆଁ ସାହେବଙ୍କର ନୈଶ-ବିଦ୍ୟାଳୟରେ ହାଜିରା ପକାଇବା ସମୟ ହୋଇଗଲାଣି ବୋଲି ଭାବି କହିଲି, “ମୁଁ ଆଜି ଯାଉଛି । କାଲି ସନ୍ଧ୍ୟାକୁ ଆସି ସବୁ ଶୁଣିବି ।” ରଜିଆବେଗମ ଭିତର ଆଡୁ କହିଲେ, କାଲି ମଧ୍ୟ ସନ୍ଧ୍ୟାକୁ ଆମ ଘରେ ଖାଇବେ ନିଶ୍ଚୟ ।

 

ମୁଁ ହଉ ବୋଲି କହି ହୋଟେଲକୁ ଫେରି ଶଯ୍ୟା ଗ୍ରହଣ କଲି ।


ଦ୍ୱିତୀୟ ସନ୍ଧ୍ୟା

ସନ୍ଧ୍ୟାକୁ ଯାଇ ପହଞ୍ଚିଲି । ସେହି ପରି ଆଦର ଓ ଯତ୍ନ । ଆଜି ଖିରୀ, ଖେଚେଡୀ, ଶାଗ, ଆମ୍ବିଳ, ବାର ପ୍ରକାର ଭଜା । ମନବୋଧ କରି ଖାଇଲି । ପୁଣି ଆସି ଦାଣ୍ଡଘରେ ବସିଲୁ । ମିଆଁ ସାହେବ ପଚାରିଲେ, ‘କାଲି କେଉଁପର୍ଯ୍ୟନ୍ତ ଯାଇଥିଲାଟି’-? ମୁଁ ହସି ହସି ରସିକତା କରି କହିଲି, ‘ରୋହେଣାକ୍ଷ ମଘାଋଷଠାରୁ କିଛି ବେଶି ।’ ମିଆଁ ସାହେବ-ଆପଣଙ୍କରତ ଠିଆପାଲା ଗୀତ ଖୁବ୍ ମନେଅଛି । ହଁ ମନେ ପଡ଼ିଲା ।

ଆରମ୍ଭ କଲେ-

 

ତହିଁଆର ଦିନ ଚାରିଟାବେଳେ ସ୍କୁଲରୁ ଫେରୁଛି । ତାଙ୍କ ଘର ଦାଣ୍ଡ କବାଟଟି ଅଳ୍ପ ମେଲା ହୋଇଗଲା । ଦେଖିଲି, ରଜନୀ ସେ କବାଟ ଫାଙ୍କରେ ମତେ ଠାରି କରି ତା ନିକଟକୁ ଡାକୁଛି । ରଙ୍କ କୋଟୀନିଧି ପାଇଲା ପରି ତା ନିକଟକୁ ଆନନ୍ଦରେ ଦୌଡ଼ିଗଲି । ସେ କବାଟ ଫାଙ୍କରେ ମୁହଁ ବଢ଼ାଇ ରଜନୀ କହିଲା, “ତୁମକୁ ସାତଥର ମୋ ରାଣ, ତୁମେ ଆଉ ଆମ ବସାକୁ ଆସିବନାହିଁ । ମାଉସୀ ବାର କଥା କରି କହୁଛି । ଯାଅ ଭାରି, ମାଉସୀ ଏଣେ ଆସୁଛି ।” ଭିତରୁ କବାଟ ଦେଲା । ମୁଁ ଆସିଲି ବାହାରି । ଶୁଖୁଆ ଖାଇ ବିରାଡ଼ି ପରି ଏ ପାଖ ସେ ପାଖ ହୋଇ ହୋଇ ପନ୍ଦର ଦିନ କଟିଗଲା, ମାତ୍ର ମୁହୂର୍ତ୍ତକ ପାଇଁ ସୁଦ୍ଧା ରଜନୀର ଦେଖା ମିଳିଲା ନାହିଁ । ଅନେକ ଥର ତାଙ୍କ ବସା ଦୁଆର ମୁହଁକୁ ଯାଏ, ସାହସ ହୁଏ ନାହିଁ । ଫେରି ଆସେ ।

 

ବଡ଼ ଓଷା ପଡ଼ିଲା । ଦୀନୁବାବୁଙ୍କ ପିଲାଏ ଧବଳେଶ୍ୱର ଯିବାକୁ ବାହାରିଲେ । ବିଶେଷ କାର୍ଯ୍ୟଯୋଗୁଁ ଦୀନୁବାବୁ ସେମାନଙ୍କ ସଙ୍ଗରେ ଯାଇ ପାରିଲେ ନାହିଁ । ମୁଁ ଯିବାର ସ୍ଥିର ହେଲା । ସେବତୀ ମାଉସୀ ଓ ରଜନୀ ସେମାନଙ୍କ ସାଙ୍ଗରେ ଯିବାକୁ ବାହାରିଲେ । ଏ କଥା ଶୁଣି ମୋ ଗୋଡ଼ ପାଞ୍ଚ ହାତରେ ପଡ଼ିଲା । ଛାତି ଭିତରଟା ଖାଲି ପଲ୍ଲବି ଉଠିଲା । ଯିବା ବେଳ ହେଲା । ଦୀନୁବାବୁଙ୍କ ସ୍ତ୍ରୀ ଓ ପୁଅ ଝିଅ ଆସି କରି ଏକ ବଳଦିଆ ଗାଡ଼ିରେ ବସିଲେ । ସେବତୀ ମାଉସୀ ଓ ତାଙ୍କ ପଛରେ ଅବଗୁଣ୍ଠନବତୀ ରଜନୀ ଆସି କରି ଗାଡ଼ିରେ ବସିଲେ । ଗାଡ଼ିରେ ଚଢ଼ିଲାବେଳେ ଓଢ଼ଣାତଳୁ ରଜନୀ ଗୋଟିଏ ଅର୍ଦ୍ଧମୁଦ୍ରିତ ସଲ୍ଲଜ ଚାହାଣୀ ମୋ ଉପରେ ପକାଇ ଭିତରକୁ ପଶିଗଲା । ମତେ ଜଣାଗଲା, ବ୍ରହ୍ମାଣ୍ଡଯାକର ଗଞ୍ଜେଇ ଆଣି ବାଟି କରି ମତେ କିଏ ପିଆଇ ଦେଇଗଲା । ମୋ ଦେହ ଶୀତେଇ ଉଠିଲା ଓ ରୋମମୂଳମାନ ଟାଙ୍କୁରି ଗଲା । ମନେ ମନେ ଭାବିଲି, “ଏମାନେ ଏଡ଼େ ରାଢ଼, କେହି ହେଲେ ଜଣେ ମତେ ଗାଡ଼ିରେ ବସିବାକୁ ଡାକୁ ନାହାନ୍ତି ।” ଗାଡ଼ି ଚାଲିଲା । ମୁଁ ମଦୁଆଙ୍କ ପରି ଗାଡ଼ି ପଛରେ ଦୋହଲି ଦୋହଲି କରି ଚାଲିଲି । ଗାଡ଼ି ଯାଇ ବିଡ଼ାନାସୀ ପାଖରେ ରହିଲା । ସମସ୍ତେ ଓହ୍ଲାଇ କରି ଡ଼ଙ୍ଗାରେ ବସିଲୁ । ମଧ୍ୟେ ମଧ୍ୟେ ରଜନୀ ସମସ୍ତଙ୍କର ଆଢ଼ୁଆଳରେ ମୋ ଆଡ଼କୁ ଟିକିଏ ଅନାଇ ଦେଇ ଅଳ୍ପ ହସି ଦେଇ ମୁଣ୍ଡରେ ଭଲ କରି ଓଢଣା ଟାଣି ଦେଉଥାଏ । କଅଣ ଗୋଟାଏ ମୋ ପେଟ ଭିତରୁ ତଣ୍ଟି ପର୍ଯ୍ୟନ୍ତ ଉଠି ଆସି ଅଟକି ଯାଏ ।

 

ଧବଳେଶ୍ୱରଙ୍କ ପଠା ଲୋକାରଣ୍ୟ । ସନ୍ଧ୍ୟା ହେଲା । ଶଙ୍ଖ, ଘଣ୍ଟା ବାଜି ଉଠିଲା । କେଉଁଠାରେ କୀର୍ତ୍ତନ କେଉଁଠାରେ ଖଞ୍ଜଣୀ ମାଡ, କେଉଁଠାରେ ବା ଭଜନର ରୋଳ ଉଠିଲା । ସମସ୍ତେ ଦର୍ଶନକୁ ବାହାରିଲୁ । ଭାରି ଭିଡ଼ । ଏହି ସମୟରେ ଗୋଟିଏ ମାହେନ୍ଦ୍ର ଯୋଗ ପଡ଼ିଗଲା । ଭିଡ଼ରେ ଠେଲି ହୋଇ ରଜନୀ ଆସି ମୋ ଦେହରେ ଲାଗିଗଲା । ଅସ୍ପଷ୍ଟ ଦୀପାଲୋକରେ ଚାରିଆଡ଼ ଭଲକରି ଦେଖାଯାଉ ନଥାଏ । ମୁଁ ରଜନୀକୁ କୁଣ୍ଢାଇ ପକାଇଲି । କେତେବେଳେ ଓ କିପରି ଭାବରେ ରଜନୀର ସେ ରଙ୍ଗ ଟହଟହ କଅଁଳିଆ ଓଠ ଦିଓଟି, ମୋର ଚିରତୃଷିତ ଓଠ ସଙ୍ଗରେ ଲାଗିଗଲା ଓ ପୁଣି କେତେବେଳେ ଯେ ବିଚ୍ଛିନ୍ନ ହୋଇଗଲା, ତାହା ମୁଁ ଜାଣିକରି ସୁଦ୍ଧା ଜାଣିପାରିଲି ନାହିଁ । ମୋର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଯେପରିକି ପୁରିକରି ଫାଟି ଯିବାକୁ ବସିଲା । ରଜନୀ ହଠାତ୍ ମୋ ଆଲିଙ୍ଗନରୁ ମୁକ୍ତ ହୋଇ ଯାଇକରି ସେମାନଙ୍କ ସାଙ୍ଗରେ ମିଶିଗଲା । ତାପରେ ଠାକୁର ଦର୍ଶନ । ଠାକୁର କଳା କି ଗୋରା, କିଛି ଦେଖି ପାରିଲି ନାହିଁ । ଦର୍ଶନ ପରେ ସମସ୍ତେ ଆସି ଆଠଗଡ଼ ରାଜାଙ୍କର କୋଠାର ଗୋଟିଏ ବଖରାରେ ରହିଲୁ । ପ୍ରସାଦ ସେବା ପରେ ସମସ୍ତେ ଶୋଇଲୁ । କାନ୍ଥ ପାଖକୁ ଲାଗିକରି ରଜନୀ, ତା ପାଖକୁ ମାଉସୀ, ତା ପାଖକୁ ଦୀନୁବାବୁଙ୍କ ସ୍ତ୍ରୀ, ତା ପାଖକୁ ତାଙ୍କ ଝିଅ ପୁଅ, ସଭା ଶେଷକୁ ଦୁଆର-ମୁହଁକୁ ମୁଁ । ରଜନୀ ସଙ୍ଗରେ ଏକା ଘରେ ଶୟନ ! ମୋ ମନ ଭିତରେ ଯେ କି ଅସମ୍ଭାଳ ଝଡ଼ ବହୁଥାଏ, କଅଣ କହିବି ? ମନେ କଲି, ରୂପ କଥାର ରୂପାବେତ ଓ ସୁନାବେତ କିଏ ଆଣି ମତେ ଦିଅନ୍ତା କି, ରୂପାବେତ ଛୁଆଁଇ ଦେଇ ସମସ୍ତଙ୍କୁ ଅଚେତନ କରି ପକାଇ ଦେଇ, ଯାଇକରି ରଜନୀ ପାଖରେ ଶୋଇପଡ଼ି ରାତିଟା କଟାଇ ନିଅନ୍ତି ? ସେବତୀ ମାଉସୀ ଅଲକ୍ଷଣୀ ଆଖିକୁ ଜମା ନିଦ ମାଡ଼ିଲା ନାହିଁ । ଦୀନୁବାବୁଙ୍କ ସ୍ତ୍ରୀଙ୍କ ସଙ୍ଗରେ କେତେ ସୃଷ୍ଟିଛଡ଼ା ଗପ ଆରମ୍ଭ କଲା । ମନ ହେଉଥାଏ, ସତ୍ୟାନାସୀକୁ ଦିଫାଳ କରି ଚିରି ନଈକୁ ପକାଇ ଦିଅନ୍ତି, ସବୁ ଜଞ୍ଜାଳ ଛିଣ୍ଡି ଯାଆନ୍ତା । “ମନ୍ତ୍ରୌଷଧି ରୁଦ୍ଧବୀର୍ଯ୍ୟ” ସାପପରି ମୁହଁ ମାଡ଼ିକରି ପଡ଼ିଥାଏ । ପାହାନ୍ତିଆ ପହରକୁ ସମସ୍ତେ ଶୋଇଲେ । ମୋ ଆଖି କଷା ହେଲାନାହିଁ । ବୋଧହୁଏ କାନ୍ଥ କଡ଼କୁ ଯେ ଶୋଇଛି ତା ଅବସ୍ଥା ମଧ୍ୟ ମୋ ପରି, କାରଣ ମଧ୍ୟେ ମଧ୍ୟେ କ୍ଷୀଣ କଣ୍ଠର ଖଣ୍ଡି କାଶ ଶୁଣାଯାଉଥାଏ । କେତେ ଥର ଉଠିକରି ବସିଲି । ମନେକଲି ଗୋଡ଼ ଟିପିଟିପି ଯାଇକରି ରଜନୀକୁ ଉଠାଇ ସମସ୍ତଙ୍କର ଅଜ୍ଞାତରେ ନିକଟବର୍ତ୍ତୀ ଆଠଗଡ଼ ଜଙ୍ଗଲକୁ ପଳାଇ, କୌଣସି ଶବରପଲ୍ଲୀରେ ରଜନୀକୁ ଘେନି ସୁଖରେ ରହିବି । ମାତ୍ର ସାହାସ ପାଇଲା ନାହିଁ । ସକାଳ ହେଲା, ସମସ୍ତେ କଟକ ଫେରିଲୁ । ମଧ୍ୟେ ମଧ୍ୟେ ଆମ୍ଭ ଦୁହିଁଙ୍କର ଦୃଷ୍ଟି ବିନିମୟ ଛଡ଼ା ବାଟରେ ଅନ୍ୟ କୌଣସି ଉଲ୍ଲେଖଯୋଗ୍ୟ ଘଟଣା ଘଟି ନ ଥିଲା । ଗାଡିରୁ ଓହ୍ଲାଇ ଦୀନୁବାବୁଙ୍କ ପିଲାଏ ତାଙ୍କ ବସାକୁ ଗଲେ । ରଜନୀ ଓ ମାଉସୀ, ତାଙ୍କ ବସାକୁ ଗଲେ । ଅବଶ୍ୟ ରଜନୀ ଯିବାବେଳେ ମାଉସୀଙ୍କର ପରୋକ୍ଷରେ ମୋ ଆଡ଼କୁ ଥରେ ମାତ୍ର ଅନାଇ ଆଖିରେ ଆଖିରେ ବିଦାୟ ମାଗିଥିଲା । ମନ ହେଉଥାଏ, ରଜନୀର ଅଳତା ରଞ୍ଜିତ ସେ କୁନି ପାଦ ଦିଓଟିକୁ ଧରି ଉତ୍କଳ-ଗୌରବ ଜୟଦେବଙ୍କ ଭାଷାରେ “ଦେହି ପଦପଲ୍ଲବ ମୁଦାରଂ” କହି ତଳେ ଲୋଟି ଯାଆନ୍ତି ।

 

ଏହାପରେ ଚାରି ପାଞ୍ଚଦିନ ଗଲା । ଏଥି ମଧ୍ୟରେ ମୁଁ ସ୍କୁଲକୁ ଯିବାବେଳେ ଓ ସେଠାରୁ ଫେରିଲା ବେଳେ, ବୁଲିବାକୁ ଯିବା ଆସିବା ବେଳେ ରଜନୀଙ୍କ ଘରଆଡ଼କୁ ସତର୍କ ଭାବରେ ଅନାଏ; ମାତ୍ର ମୁହୂର୍ତ୍ତକ ପାଇଁ ସୁଦ୍ଧା ରଜନୀକୁ ଦେଖେ ନାହିଁ । ତାର ଅଦର୍ଶନରେ ମୋ କଥା ବଳେଇଗଲା । ଖାଇବାକୁ ଇଚ୍ଛା ହେଲା ନାହିଁ, ରାତିରେ ନିଦ ହେଲା ନାହିଁ, କୌଣସି କାର୍ଯ୍ୟରେ ସ୍ପୃହା ରହିଲା ନାହିଁ । ଅନେକ ଭାବି ଚିନ୍ତି ଦିନେ ଖଣ୍ଡିଏ ଚିଠି ଲେଖିଲି ।

 

ରାତି ଦୁଇଟା

ପ୍ରାଣର ରଜନୀ !

କଅଣ ଲେଖିବି ? ଧବଳେଶ୍ୱରଙ୍କଠାରୁ ଫେରିଲା ଦିନୁ ତୁମକୁ ସବୁବେଳେ ଝୁରିଝୁରି ମୋର କଣ୍ଟା ରହିଲାଣି । ଏପରି ହେଲେ ମୁଁ ଆଉ ବହୁତ ଦିନ ବଞ୍ଚି ରହି ପାରିବି ନାହିଁ । କଅଣ କରିବି, ମତେ ବୁଦ୍ଧି ଦିଅ, ତୁମ ବସା ବାଟେ ଗଲାବେଳେ ତୁମ ପଞ୍ଜରଆଡ଼କୁ କେଡ଼େ ବିକଳ ହୋଇ ଅନାଏ, ମାତ୍ର ଥରକପାଇଁ ସୁଦ୍ଧା ତୁମ ଦେଖା ପାଏ ନାହିଁ । ତୁମେ କଅଣ ମୋ ଉପରେ ରାଗିଛ କି ? ସେଦିନ ଧବଳେଶ୍ୱରଙ୍କ ଦେଉଳ କଥା କଅଣ ପାଶୋରି ପକାଇଲ ? ମାତ୍ର ସେହି କଥା ମୋର ଦିନରାତି ଜପାମାଳୀ ହୋଇଛି । ତେବେ ମୁଁ ବହୁତ ଭାବି ଚିନ୍ତି ଗୋଟିଏ କଥା ଠିକ୍ କରିଛି । ଶୁଣ ! ଏହି ଆସନ୍ତା ଗୁରୁବାର ଦିନ ରାତି ଗୋଟାଏ ବେଳେ ତୁମେ ସତ୍ରରେ ଖସି ଆସି, ଦାଣ୍ଡ ପିଣ୍ଡାରେ ଠିଆ ହୋଇଥିବ । ମୁଁ ଅପେକ୍ଷା କରିଥିବି, ତୁମକୁ ସାଙ୍ଗରେ ନେଇ ଦେଶାନ୍ତର ହେବି । ମୃତ୍ୟୁଛଡ଼ା ଆମ ଦୁହିଁଙ୍କି ଆଉ କେହି ଅଲଗା କରି ପାରିବ ନାହିଁ । ସେଦିନ ତୁମକୁ ସଂଯୁକ୍ତାଙ୍କ କଥା କହୁଥିଲି । ସେ ନିଜର ପ୍ରିୟ ପାଇଁ କଅଣ ନ କଲେ ? ତୁମେ କଅଣ ଏତକ କରି ପାରିବ ନାହିଁ ? ନିଶ୍ଚୟ ପାରିବ । ଏହାର ଉତ୍ତର ଶୀଘ୍ର ଦେବ । ମୁଁ ଚାତକ ପରି ଅନାଇ ବସିଛି । ଅଧିକ କଅଣ ବା ଲେଖିବି ? ମୋ ଜୀବନ ତୁମ ହାତରେ ବୋଲି ଜାଣିବ । ଆଉ କେତେ କଥା ଲେଖିବି ବୋଲି ମନେ କରିଥିଲି । ଥାଉ । ମୋ ରାଣ, ଶୀଘ୍ର ଉତ୍ତର ଦେବ । ମୋ ରାଣ, ମୋ ରାଣ, ମୋ ରାଣ ।

ତୁମ୍ଭର

ମାଷ୍ଟେରେ ।

 

ଚିଠି ସିନା ଲେଖିଲି, ମାତ୍ର ପଠାଇବି କାହା ହାତରେ ? ଭାବି ଚିନ୍ତି ସକାଳୁ ଦୀନୁବାବୁଙ୍କ ଝିଅ, ମୋର ଶିଷ୍ୟା ସବିତାକୁ ପାଖକୁ ଡାକି କରି ପଚାରିଲି- ସବି, ତୁ ଦାମବାବୁଙ୍କ ବସାକୁ ଯାଉଁ ?

 

ସବିତା- ହଁ ପ୍ରତିଦିନ ଯାଏ । ସବୁଦିନେ ଯିବାକୁପରା ରଜନୀ ଅପା ରାଣ ପକାନ୍ତି । ମାଷ୍ଟେରେ ! ରଜନୀ ଅପାଟା ଭାରି ଛୋପରୀ । ଖାଲି ଆପଣଙ୍କ କଥା ସବୁବେଳେ ଗୁଡ଼େଇ ତୁଡ଼େଇ କରି ପଚାରିବ । ମାଷ୍ଟେରେ କଅଣ ଖାଆନ୍ତି, କେଉଁଠାରେ ଶୁଅନ୍ତି, କଅଣ ସବୁ କରନ୍ତି । ଆଉ କିଛି କଥା ନାହିଁ, ସବୁବେଳେ ଖାଲି ଏଇ କଥା । ମତେ ଭାରି ବିରକ୍ତ ଲାଗେ ।

 

ମୁଁ- ଆଚ୍ଛା ସବି ! ମୋର ଗୋଟିଏ ବୋଲ କରିବୁ ?

ସବି- ନିଶ୍ଚେ କରିବି ।

ମୁଁ- ମୋ ରାଣ ପକାଇଲୁ, କାହାରି ଆଗରେ ତ କହିବୁ ନାହିଁ ।

ସବି- ଆପଣ ରାଣ ପକାଉଛନ୍ତି । କାହା ଆଗରେ କିଆଁ କହିବି ମ !

ମୁଁ- ଏ ଚିଠି ଖଣ୍ଡିକ ନେ କି, ତୋ ରଜନୀ ଅପାକୁ ଲୁଚାଇ କରି ଦେବୁ । ଦେଖେ ! କେହି ଯେପରି ନ ଦେଖିବେ । ଦେଖେ, ଏ ଚିଠି କଥା ଆଉ କାହା ଆଗରେ କହିବୁ ନାହିଁଟି ।

ସବିତା ଚିଠିଖଣ୍ଡିକ ମୋଠାରୁ ନେଇ, ନାହି ମୁଣ୍ଡାରେ ଖୋଷି, ଲୁଗା ସଜାଡ଼ିକରି ପିନ୍ଧି, ଦୂତୀ କାର୍ଯ୍ୟରେ ବାହାରିଗଲା । ମୁଁ କାକୁସ୍ତ ହୋଇ ସେହିଠାରେ ବସି ରହିଲି । ଛାତିଟା ଥରି ଉଠୁଥାଏ । ଦଶ ପନ୍ଦର ମିନିଟ ପରେ ସବିତା ହସହସ ମୁହଁରେ ଫେରି ଆସିଲା ।

 

ମୁଁ- ଦେଲୁ ?

ସବିତା- ହଁ ଦେଲି ।

ମୁଁ- ଆଉତ କେହି ଦେଖି ନାହିଁ ?

 

ସବିତା- ନା, ରଜନୀ ଅପା ଦାଣ୍ଡ ଘର ଓଳାଉଥିଲେ । ଆଉ କେହି ନଥିଲେ । ମୁଁ ସୂତ୍ରରେ ତାଙ୍କ ହାତକୁ ଚିଠି ଖଣ୍ଡିକ ଦେଇ କହିଲି, “ମାଷ୍ଟେରେ ଦେଇଛନ୍ତି । ପଢିସାରି, ବେଉରା ଲେଖିକରି ଲୁଚାଇ କରି ମୋ ହାତରେ ଦେବୁ । ଦେଖେ, ମୋ ମୁଣ୍ଡ ଖାଉଟି, ଆଉ କାହା ଆଗରେ କିଛି କହିବୁ ନାହିଁ । ମାଷ୍ଟେରେ ମନା କରିଛନ୍ତି । ରଜନୀ ଅପା ମୋ ହାତରୁ ଚିଠି ଖଣ୍ଡିକ ନେଇ ଅଣ୍ଟାରେ ଖୋଷି ଦେଇ ଭିତର ଖଞ୍ଜାକୁ ଟିକିଏ ଅନାଇ କରି ଆସି ମତେ କହିଲେ, ‘ତୁଯା, ତୁମ ମାଷ୍ଟରଙ୍କୁ କହିବୁ ସେ ଭାରି ଦୁଷ୍ଟ । ଏହାର ବେଉରା ମୁଁ କାଲି ଦେବି କହି ଦେବୁ’ । ମୁଁ କହିଲି ଆମ ମାଷ୍ଟେରେ କାହିଁକି ଦୁଷ୍ଟ ହେବେ । ତୁଇ ଦୁଷ୍ଟ । ଆସିଲି ।”

 

ନେପଥ୍ୟେ- ଆଉତ କିଛି ବେପାର ନାହିଁ । ଖାଲି ଏଇଗୁଡ଼ାକ ଗପ ଚାଲିଛି ।

 

ଆଲାର୍ମ୍ମ ଦିଆ ହେବାର ଦେଖି ହୋଟେଲକୁ ବାହାରିଲି । ରଜିଆବେଗମ ସେ ଘର ଭିତରକୁ ଆସି ମିନିତ ମିଶା ସ୍ୱରରେ କହିଲେ “ଆପଣ କାଲି ରାତିରେ ବି ଆମ ବସାରେ ଖାଇବେ ।”

 

ମୁଁ- ଦିନେ ଦିଦିନ ସିନା ଖାଇଦେଲି । ସବୁ ଦିନେ ଗେଟାଏ-

 

ରଜିଆବେଗମଙ୍କ ଆଖି ଆଦ୍ର ହୋଇ ଉଠିଲା, କହିଲେ- “ଆପଣ ବୋଧହୁଏ ଜାଣି ପାରୁ ନାହାନ୍ତି ଯେ ଆପଣଙ୍କର ଚର୍ଚ୍ଚା କରି ଆମେ ଦୁହେଁ କି ଆନନ୍ଦ ପାଉ ? ଆପଣ ତ ଭାଇ ବନ୍ଧୁ କୁଟୁମ୍ୱ ଛାଡ଼ି ଚିରକାଳପାଇଁ ଦେଶାନ୍ତର ହୋଇ ନାହାନ୍ତି ? କୁଆଡ଼ୁ ବୁଝିବେ ?

 

ମାନ୍ଦ୍ରାଜରେ ଯେତେ ଦିନ ରହିବି ରାତ୍ର ଭୋଜନଟା ସେହିଠାରେ ହେବ ବୋଲି ଜବାବ ଦେଇ ହୋଟେଲକୁ ଫେରିଲି ।

 

ତୃତୀୟ ସନ୍ଧ୍ୟା

ସନ୍ଧ୍ୟାକୁ ମିଆଁ ସାହେବଙ୍କ ବସାରେ ପହଞ୍ଚିକରି ଖାଇଲି । ଆଜି ଜୀରା ବଘରା ଦହିପଖାଳ । ସଜନା ଛୁଇଁ ଓ କଶି ବାଇଗଣ ମରିଚପାଣି, ଅନେକ ପ୍ରକାର ଭଜାଭଜି । ଖରାଦିନ ରାତି । ବଡ଼ ତୃପ୍ତି ଲାଗିଲା । ଆତ୍ମାସନ୍ତୋଷ ହୋଇଗଲା । ଖାଇକରି ଦାଣ୍ଡ ଘରେ ବସିଲୁ ।

 

ମୁଁ- ହଁ, ଉତ୍ତର ଫେର୍ କେଉଁଦିନ ମିଳିଲା ?

ମିଆଁ ସାହେବ- “ଆପଣ ତ ଖୁବ୍ ମନେ ରଖିଛନ୍ତି”, ବୋଲି କହି ଆରମ୍ଭ କଲେ:-

 

ଚାତକ ପରି ଚାହିଁବସିଥାଏ । କେତେଥର ସବିତାକୁ ପଚାରେ ସେ କହେ, “କାଲି ନିଶ୍ଚେ ଦେବ ବୋଲି କହିଛି । ଭାରି ଅଳସେଇଟାଏ ।” ଦିନେ ସନ୍ଧ୍ୟାବେଳେ ସବିତା ହସ ହସ ମୁହଁରେ ମୋ ପାଖରେ ପହଞ୍ଚି ନିଜର ଖୋଷଣୀରୁ ଚିଠି ଖଣ୍ଡିକ ବାହାର କରି ମତେ ଦେଲା ଓ କହିଲା “ମାଷ୍ଟେରେ ! ଆଜି କଅଣ ଦେଉଥିଲା କି ? ମୁ ଏକାଧୁମ୍ ଲଗାଇବାରୁ କେତେ ସନ୍ଧିରୁ ବାହାର କରିଦେଲା । ଆଗରୁ ଲେଖି ଲୁଚାଇ କରି ରଖିଥିଲା ।” କହିଲି, “ଦେଲୁତ ଏତେ ଛୋପରା ହେଉଥିଲୁ କାହିଁକି?” ସେ କହିଲା, “ତରତର ହୋଇ ଲେଖି ଦେଇଛି । ଭଲ କାଗଜ ଖଣ୍ଡକରେ ଲେଖି କରି, ଦେଇ ଥାଆନ୍ତି, ମାତ୍ର ତୁ ତ ଏଡ଼େ କଟାଳ କଲୁଣି, ନେ ଯା ।” ସବିତା ଚାଲିଗଲା । ଚିଠି ଖଣ୍ଡିକ ଖଣ୍ଡିଏ ଖାତା ଭିତରେ ପୁରାଇ ପଢ଼ିଲି । ଛାତିଟା ଉଠୁଥାଏ, ପଡ଼ୁଥାଏ ।

****ପ୍ରାଣର ଦେବତା

 

ମୋର ନମସ୍କାର ଗ୍ରହଣ କରିବେ । ତୁମ ଚିଠି ପଢିଲି । ମନ ଯାହା ହେଲା କଅଣବା ଲେଖିବି ? ଧବଳେଶ୍ୱରଠା କଥା ତୁମେ ଭୁଲି ଯାଇ ପାର; ମାତ୍ର ମୁଁ ଭୁଲିବି କୁଆଡ଼ୁ ? ପ୍ରକୃତରେ ତୁମେ ଭାରି ଝଡ଼ି ଗଲଣି । ମୁଁ ପ୍ରତିଦିନ ପଞ୍ଜର ପାଖରେ ଦେଖୁଛି । ସବୁବେଳେ ଏତେଚିନ୍ତା କାହିଁକି କରୁଛ ? ମୋ ପରି ଲକ୍ଷେ କନ୍ୟା ତୁମକୁ ମିଳିବେ । ତୁମେ ଘର ଛାଡ଼ି ପଳାଇ ଯିବା କଥା ଲେଖିଛ । ମାତ୍ର ମୋର ଜମାରୁ ସାହସ ହେଉନାହିଁ । ମୁଁ ପିଲାଟାଏ, ତୁମକୁ କଅଣ ବୁଦ୍ଧି ବତାଇବିମ ? ତେବେ ଗୋଟିଏ କଥା କର । ମୋ ବାପା ଧନୁଭଙ୍ଗ ପଣ କରିଛନ୍ତି । ଖରଚି ଲୋକ । ପାଖରେତ ତାଙ୍କର ଗୋଟାଏ ପଇସା ନାହିଁ । ଆମର ଏ ବସା ସୁବାରାଓ ପାଖରେ ବନ୍ଧା ପଡ଼ିଛି । ପାଞ୍ଚ ଶହ ଟଙ୍କା ହେଲେ ମୁକୁଳିବ । ଯେ ଏହି ପାଞ୍ଚ ଶହ ଟଙ୍କା ଦେବ, ସେ ମତେ ବିଭାହେବ । ଏହି ଟଙ୍କା ଯୋଗୁଁ ମୋ ବିଭାଘର ସମ୍ୱନ୍ଧ କେତେଠାରେ ଭାଙ୍ଗି ଗଲାଣି । ତୁମେ ମୋ ମୁଣ୍ଡ ସାତଥର କରି ଖାଅ । ଏ ପାଞ୍ଚ ଶହ ଟଙ୍କା ଧାରଉଦ୍ଧାର କରି କେଉଁଠାରୁ ସଜିଲ କର । ଚଞ୍ଚଳ କରିବ, ହେଳା କରିବ ନାହିଁ । ଆଉ ଗୋଟିଏ କଥା ଶୁଣ । ଛାପାଖାନା ଆଗ ଗଳିରେ ଟୁକମା ଗଉଡୁଣୀର ଘର । ସେ ମାଉସୀର ଭାରି ବିଶ୍ୱାସୀ ଲୋକ । ତାକୁ ହାତ କରି ମୋ ସାଙ୍ଗରେ ବିଭାହ କରିବା କଥା ନେଇ ମାଉସୀ ପାଖକୁ ପଠାଇବ । ମାଉସୀ ଯାହା କହିବ, ବାପାଙ୍କଠାରେ କିଛି ନାହିଁ । ଟୁକମା ମାଉସୀକୁ କହିଲେ ଓ ଏ ପାଞ୍ଚଶହ ଟଙ୍କା ପାଇଲେ, ମାଉସୀ ଖୁସିରେ ରାଜି ହେବ । ତୁମକୁ ମୋ ରାଣ, ଟଙ୍କା ସଜିଲ କର । ତୁମେ ହେଳାକଲେ, ମୁଁ ଜହର ଖାଇ ପ୍ରାଣ ହରାଇବି । ଦେଖ, ଆଉ କାହା ହାତରେ ଚିଠି ଦେବ ନାହିଁ, ସବିତା ପିଲାଲୋକ । ନାହିଁ ନାହିଁ ମାଉସୀ ଯଦି ଏ କଥାର ଗନ୍ଧ ପାଏ, ତେବେ ମତେ ଠିଆ ଠିଆ ଦିଫାଳ କରି ଚିରି ଦେବ । ନିର୍ଧୁମ ଖଣ୍ଡାଖାଇ ରାହାବାଳୀ ସେ । ମୋର ସବୁ ଦୋଷ କ୍ଷମା କରିବ ।

ତୁମର

ମୁଁ

ଚିଠି ଖଣ୍ଡିକ ପଢ଼ି, ଦୀନୁବାବୁଙ୍କ ଘରୁ ନିର୍ମାଲ୍ୟ କଣିକାଏ ଆଣି ମୋ ଟ୍ରଙ୍କରୁ ପାଞ୍ଚଟଙ୍କା ବାହାର କରି ଧାଇଁଲି ଟୁକମା ଘରକୁ । ବୁଢ଼ୀ ପିଣ୍ଡାରେ ବସିଥିଲା । କୁଆଡ଼େ ଅଇଲୁ ବୋଲି ପଚାରିଲା । ମୁଁ ନିର୍ମାଲ୍ୟତକ ବୁଢ଼ୀ ହାତରେ ଦେଇ କହିଲି, “ମୁଁ ପିଲାଟିଦିନୁ ମାଛେଉଣ୍ଡ, ତୁମେ ଆଜିଠାରୁ ମୋର ଧର୍ମ ମା ହେଲ । ଏ ଟଙ୍କା ଧର ।” ବୁଢ଼ୀ ଟଙ୍କା ଧରିଲା; ମାତ୍ର କିଛି ବୁଝି ନପାରି ମୋ ମୁହଁକୁ ଅନାଇଲା । ମୁଁ କହିଲି, ତୁମେ ତ ଆଜିଠାରୁ ମୋର ଧର୍ମର ମା ହେଲ । ତୁମ ପାଖରେ ଆଉ କପଟ କରିବି କଅଣ ? ଦାମ ବାବୁଙ୍କ ଝିଅ ରଜନୀ କଥା । ମୋ ବିଷୟରେ ବୁଝନ୍ତ କି ? ମୁ ଜବାବ ପାଇଲେ ଏହି ଦୁଇ ତିନି ଦିନ ମଧ୍ୟରେ ପାଞ୍ଚ ଶହ ଟଙ୍କା ଠିକ୍ କରି ଆଣି ଦେବି ।

 

ବୁଢ଼ୀ-ଛିଆଲୋ ! ଏହିଁ କଥାକୁ ଏପରି ବୈଗୁଣ୍ୟ ହେଉଛୁ । ଦେ କଉଡ଼ି ଖା ପିଠା, ଏଥିପାଇଁ କିଆଁ ଦାନ୍ତ ନିକୁଟା । ଭଲହେବ, ପୁଅ । ପ୍ରକୃତରେ ତୋ ଲାଖି କନ୍ୟା, ସେ । ଭାଇ ଭାଉଣୀ ପରି ଦିଶିବ । ଆଗରୁ କେତେ ଭଲ ଲୋକ ବାହାଘର ସମ୍ୱନ୍ଧ ନେଇ ଆସିଥିଲେ । ଏହି ଟଙ୍କା କଥା ଶୁଣି ହୁରୁଡ଼ି କରି ପଳାଇଲେ । ଦାମବାବୁଠେଇ କଅଣ ଅଛି ? ଗୁଲିଖୋରଟାଏ । ସବୁ ସେବତୀ ଅପାହାତରେ । ମୋ କଥାକୁ ସେ ତଳେ ପକାଇବ ନାହିଁ । ତୁ ତ ଟଙ୍କା ଦେଇ ସୁବାରାଓଠାରୁ ବସା ମୁକୁଳାଇ ଆଣିବୁ । ଆଉ କେଉଁ କଥାରେ ଆପତ୍ତି କରିବ ସେ । ନେ, ଏ ଟଙ୍କା ରଖ । ତୁ ମୋ ହାତରେ ମହାପ୍ରସାଦ ଦେଲୁ । ମୁଁ ତୋଠୁଁ ଟଙ୍କା ରଖିବି ? ଛି ପୁଅ, ଆର ଜନ୍ମରେ କଅଣ କରିଥିଲି ଯେ, ଏ ଜନ୍ମରେ ଏ ଅନିଭୋଗ କରୁଛି । ମୁଁ ଏହି ସାଙ୍ଗେ ସାଙ୍ଗେ ଯାଉଛି କଥାଟା ପକା କରି ଦେଇ ଆସିବି । ଆଖି ବୁଜି ଟଙ୍କା ସଜିଲ କର, ବାହାଘର କଥା ମୋ ହାତରେ । ଯା, ବସାକୁ ଯା । ମୁଁ ଗୋଡେ ଗୋଡେ ବାହାରିଲି ବୋଲି ଜାଣ ।

 

ମୁଁ ବସାକୁ ଫେରି ଦାଣ୍ଡ ପଞ୍ଜର ପାଖରେ ବସିକରି ଅନାଇ ଥାଏ । ବୁଢ଼ୀ ତାଙ୍କ ବସା ଆଡ଼େ ଗଲା । ମୁଁ କାଳୀଙ୍କୁ ଟଙ୍କାକର ଭୋଗ ଓ ଧବଳେଶ୍ୱରଙ୍କୁ ଟଙ୍କାକର ଭୋଗ ମାନସିକ କରି ବସି ରହିଲି । ଛାତିଟା ଦୁଲୁଦୁଲୁ ହୋଇ କମ୍ପୁଥାଏ । ବୁଢ଼ୀ ଫେରିବାରେ ବିଳମ୍ୱ ହେଲା । ମନରେ ପାପ ଛୁଇଁଲା । “ପୁଣି ବିଳଂବେ କାର୍ଯ୍ୟ ସିଦ୍ଧି”, ମହାବାକ୍ୟ ମନରେ ଗୁଣି ଦମ୍ ପଗଡିଲି । କେତେବେଳେକେ ବୁଢ଼ୀ ବାହୁଡିଲା । ମୁଁ ପୋଷା କୁକୁର ପରି ତା ପଛେ ପଛେ ଗୋଡାଇ କରି ଯାଇ ଖଡେଦମ୍ ତା ବସାରେ ପହଞ୍ଚିଲି । ବୁଢୀ ମତେ ଦେଖି ହସ ହସ ମୁହଁରେ ନିଜର ବଡିମା ଦେଖାଇ କରି କହିଲା- ବୁଝିଲ ନା ପୁଅ ! ମୁଁ କେଉଁ ଦିନ ମରିବି ସିନା ଜାଣେ ନାହିଁ, ନୋହିଲେ ମତେ ସବୁ କଥା ଜଣା । ସେ ଦାମା ମୋହରିରଟା ଘରେ ନଥିଲା । ସେ ଛତରାଟାକୁ ଦେଖିଲେ ମୋ ହାଡ଼ ଜଳେ । ସେବତୀ ଅପା ପାଖରେ ବସି ସବୁ କଥା କହିଲି । ମୁଁ ପରା ଆଗରୁ କହୁଥିଲି, ସେ କଅଣ ମୋ କଥାରୁ ବାହାରି ଯିବ ସେ ବି ପୁଅ, ତୋ ଉପରେ ଭାରି ପରସନ । କହିଲା ପରା, “ଭାରି ସୁଧାର ପିଲାଟିଏ ।” ତୁ କୁଆଡ଼େ କେଉଁ ଦିନ ତାଙ୍କ ଘରକୁ ଯାଇ ଥିଲୁ ଯେ, ତୋତେ ମୁହଁ ଶୁଖାଇକରି କଣ ପଦେ କହିଦେଲା ।

 

ମୁଁ ଏ ଦୀର୍ଘ ଭୂମିକା ଶୁଣି ମନେ ମନେ ବଡ଼ ବିରକ୍ତ ଓ ଅସମ୍ଭାଳ ହେଲି; ମାତ୍ର ତା ମୁହଁଉପରେ କିଛି କହି ପାରିଲି ନାହିଁ । ବୁଢ଼ୀ ମୋ କାମ କାନ ପାଖକୁ ତା ମୁହଁ ଲଗାଇ ତୁନି ତୁନି କରି କହିଲା-ବୁଝିଲୁ ନା ପୁଅ ! ରଜନୀଟି ଆସି ବଢ଼ି କରି ରହିଲାଣି । ବ୍ରାହ୍ମଣ ଘର ବୋଲି କଥାଟାକୁ ପଦାରେ ପ୍ରଘଟ କରି ନାହାନ୍ତି । ସେହି ଯୋଗୁଁ ଅଭିଆଡ଼ୀ ଝୁଅଟାକୁ ତୋ ସାଙ୍ଗରେ ବସ ଉଠ କରିବାକୁ ମନାକଲା । କଥାଟା ପକାକରି ଦେଇ ଆସିଛି । ଆସନ୍ତା ମଗୁଶୀର ମାସରେ ବାହାଘର ହେବ । ତୁଯା ଟଙ୍କା ଘେନିକରି ଆସିବୁ, ଗୋଟାଏ ଭଲଦିନ ଦେଖି କାଳୀଙ୍କ ଚକଡ଼ାରେ ମାଳୀଟେକା କରି ଦେବା । ଏ କଥା ଶୁଣି ମୋ ପେଟଭିତରେ ଆନନ୍ଦଗୁଡାକ ଖାଲି ହାବୁକା ମାରି ଉଠିଲା । କହିଲି- “ମୁଁ କାଲି ସକାଳୁ ଆମଗାଁକୁ ଯାଉଛି । ଏହି ଚାରି ଆଠଦିନେ ଟଙ୍କା ଘେନି ପହଞ୍ଚିବି । ତୁମେ ଯାଇଁ ସେବତୀ ମାଉସୀଙ୍କୁ କହି ଦେଇ ଆସିବ ।”

 

ବସାକୁ ଫେରିଲି । ଆଠଦିନ ଛୁଟି ପାଇଁ ଦରଖାସ୍ତ ଲେଖି ଦୀନୁବାବୁଙ୍କ ଜିମା ଦେଇଗଲି । ସକାଳୁ ଉଠି ଗାଁକୁ ଗଲି । ଡାକଘରେ ଦୁଇଶହ ତିରିଶ ଟଙ୍କା ଜମା କରିଛି । ବାକି କନ୍ୟା ସୁନା ଦୁଇଶହ ସତୁରୀ । ବିଭାଘର ଖରଚ ଦୁଇଶ ବୋଲ, ଗାଏ ଦୁଇ ପଦକୁ ଆହୁରି ଚାରିଶହ ସତୁରୀ ଲୋଡା । ମୋର ଏକମାତ୍ର ଭୂସମ୍ପତି ପାଞ୍ଚଗୁଣ୍ଠ ଘରବାରୀଡିହ ଓ ଧାନ ଜମି ଦଶବାରଗୁଣ୍ଠ ବିକିବି ବୋଲି କକେଇଙ୍କ ସାଙ୍ଗରେ କଥା କଲି । ବହୁତ କଷ୍ଚରେ କକେଇ ଚାରିଶହ ପର୍ଯ୍ୟନ୍ତ ଗଲେ । ନରୁ ପିଉସା ପାଞ୍ଚଶହ କଲେ । କକେଇ ପାଞ୍ଚଶହ ପଚାଷ ପର୍ଯ୍ୟନ୍ତ ବଢିଲେ । ନରୁ ପିଉସା ଛଅଶହ କଲେ । ଶେଷରେ ପାଞ୍ଚଜଣଙ୍କ କଥାରେ କକେଇଙ୍କୁ ସେହି ଛଅ ଶହରେ ବିକିଲି । ଜଗତସିଂହପୁର ଯାଇ ସିଠାମ କିଣି ରେଜିଷ୍ଟ୍ରି କରି ଟଙ୍କାତକ ଧରି କଟକ ଫେରିଲି । ରଜନୀର ପ୍ରାପ୍ତି ଆଶାରେ ମୁଁ ଏପରି ବାତୁଳ ହୋଇ ଯାଇଥିଲି ଯେ ସାତପୁରୁଷର ଘର ଡ଼ିହ ବିକିକରି ମଧ୍ୟ ମୋ ମନରେ ଟିକିଏ ଦୁଃଖ ହେଲା ନାହିଁ । ବରଂ ଏତେଗୁଡ଼ାଏ ଟଙ୍କା ପାଇଲି ବୋଲି ଭାରି ଖୁସି ହେଲି ।

 

କଟକରେ ଆସି ପହଞ୍ଚିଲା ବେଳକୁ ବେଳ ରତ ରତ ହେଉଥାଏ । ରଜନୀଙ୍କ ବସା ବାଟେ ଆସିଲି । ଦେଖିଲି, ତାଙ୍କ ଦୁଆରେ ତାଲା ପଡ଼ିଛି । ମନଟା କାହିଁକି ବଥେଇ ଉଠିଲା । ଦୀନୁବାବୁଙ୍କ ବସାରେ ପହଞ୍ଚିଲି । ସବିତା ଦାଣ୍ଡ ଘରେ ଠିଆ ହୋଇଥିଲା । ମତେ ଦେଖିବା ମାତ୍ରେ କହିଲା- ‘ମାଷ୍ଟେରେ ଶୁଣିଲଣି, ରଜନୀ ଅପା ବାହା ହେବ ବୋଲି ଅପୁରିଦିନଠାରୁ ବାଲେଶ୍ୱର ଗଲାଣି । କୁଆଡ଼େ ଭାରି ବଡ଼ଲୋକ ଘର । ହେଲେ କଅଣ ହେବ, ସମସ୍ତେ କହୁଛନ୍ତି ବରଟା କୁଆଡ଼େ ନିପଟି ବୁଢ଼ାଟାଏ ।’ କାଲି ବାହାଘର ହୋଇଥିବ । ଗଲାବେଳେ ରଜନୀ ଅପା ଯେଉଁ ବିକଳ ହୋଇ କାନ୍ଦିଲା, କଅଣ କହିବି ? ଗଲାବେଳେ ମତେ ଘର ଭିତରକୁ ଏକୁଟିଆ ଡାକି ନେଇ ମୋ ହାତ ଧରି କାନ୍ଦିକରି କହିଲା, “ସବିତା ! ମାଷ୍ଟେରେ ଆସିଲେ କହିବୁ, ଏ ଅଲକ୍ଷଣୀକୁ ପାଶୋରି ପକାଇବେ । ଚିଠି ଦେଇ ଥାଆନ୍ତି, ମାତ୍ର ସବୁବେଳେ ତ ମାଉସୀ ପାଖେ ପାଖେ ରହିଲା, ବେଳ ପାଇଲି ନାହିଁ ।” ଆହା କେତେ କାନ୍ଦିଲା । ମତେ ବି ଭାରି କାନ୍ଦ ମାଡ଼ିଲା ।

 

ଏକଥା ଶୁଣି ପ୍ରଥମରେ ମୁଁ ମୋ କାନକୁ ବିଶ୍ୱାସ କଲି ନାହିଁ । କଅଣ କରିବି ? ପାଗଳଙ୍କ ପରି ଟୁକୁମା ବସାକୁ ଦୌଡ଼ିଲି । ବୁଢ଼ୀ ନିଆଁ ଉମ୍ଭେଇଟି ଆଗରେ ରଖି ନିଆଁ ପୋଉଁଥିଲା । ମତେ ଦେଖି ଦାନ୍ତ ଚୋବାଇ କରି କହିଲା- ପୁଅ କେତେବେଳେ ଆସିଲୁ । ପଇସା ଲୋଭରେ ସେ ଖଣ୍ଡିଆ ଛତରଖିଆ ଗୁଲିଖୋରଟା ତାରପରା ଝୁଅଟାକୁ ମଝି ଦରିଆକୁ ପେଲି ଦେଲା । ମୁଁ ପରା ଆଗରୁ କହୁଥିଲି, ସେ ମଉନମୁହୀଁ ସେବତୀ ବାହ୍ମୁଣୀ ଭାରି ଜଣେ । ମାଛେଉଣ୍ଡ ଚନ୍ଦ୍ରଉଦିଆ ଦେରେ ଝୁଅଟାକୁ କଅଣ ନ କଲେ ? ବରଟାକୁ କୁଆଡେ ତିନିକୋଡି ଉପରେ, ବାଇଷି ବର୍ଷର ଭେଣ୍ଡା ପୁଅ । ହଜାରେ ଟଙ୍କା ଦେବ । ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସୁନା ଗହଣା ଦେବ । ଆରେ, ଟଙ୍କା ସୁନାକୁତ ଧୋଇ ବାଟିକରି ପିଇବ ନାହିଁ । ଝୁଅଟି ବିକଳ ହୋଇ କେତେ ବାହୁନି କରି କାନ୍ଦିଲା । କଅଣ କହିବି ? ତାର ତୋଠାରେ ଭାରି ମନଥିଲା । ଆରେ ! ଟୁକମା କଥା ଜାଣି ନାହାନ୍ତି ? ପୁଅ ! ତୁ ଥୟ ହୋଇ ବ । ଦେଖିବୁ ମୁଁ ତାଠାରୁ ସାତଗୁଣ ସୁନ୍ଦରୀଆ ଝୁଅ ଆଣି ତେତେ ବାହା କରିଦେବି । ମଙ୍ଗଳାବାଗ ମୋ ବାପ ଘର ପାଖରେ ଧନୀ ନନା ଝୁଅ ମେନକା । ଗୋଟିଏ ଶଙ୍ଖ କୁଣ୍ଢାଇ । ମାଛିକି ମ ବୋଲି କହିବ ନାହିଁ । ସାକ୍ଷାତ୍ ଦୁର୍ଗା ପରତିମା । ମୁଁ ଏତେ ଝୁଅ ଦେଖୁଛି, ତା ଦେରେ ! କାହିଁ ରାଣୀ ନା କାହିଁ ଚନ୍ଦ୍ରକାଣୀ । କାହିଁ ହାତୀ ଦାନ୍ତ, କାହିଁ ବାଉଁଷ କଣୀ । ପୁଅ ମନରେ କିଛି କିମ୍ୱା କରନା । ଦେଖିବୁ, ଏହି ଦୁଇ ଚାରି ଦିନ ମଧ୍ୟରେ ସବୁ ଠିକ୍‌ଠାକ୍ ।

 

ନେପଥ୍ୟେ କଳକଳଧ୍ୱନୀ ହୋଟେଲକୁ ଫେରିଲି ।

 

ଚତୁର୍ଥ ସନ୍ଧ୍ୟା

ଠିକ୍ ସନ୍ଧ୍ୟାକୁ ଯାଇଁ ପହଞ୍ଚିଲି । ଆଜି ଚୂଡ଼ାଘଷା, କଦଳୀ ଚକଟା, ପାଳୁଅ ଖିରୀ ଓ ଆମ୍ୱୁଲ ରାଇ । ତଣ୍ଟି ପର୍ଯ୍ୟନ୍ତ ମାରି ଦେଲି । ଦାଣ୍ଡ ଘରେ ଆସି ବସିଲୁ । ମିଆଁ ସାହେବ ଆରମ୍ଭ କଲେ:-

 

ସେଇଠୁ କଅଣ ହେଲା, ମୁଁ ଦିହେ ଦିହେ ବାହାରିଲି । କୁଆଡ଼େ ଯାଉଛି ଠିକ୍ ନାହିଁ । ମୋର ଜ୍ଞାନ ଲୋପ ପାଇ ଯାଇଥିଲା । ବାଟରେ ଗୋଟାଏ ନଈ ପଡ଼ିଲା, ପଶିଗଲି । ପେଟେ ପାଣି ହେଲା, ଲୁଗାପଟା ତିନ୍ତି ଗଲା । ମାତ୍ର ମୋର ସେଆଡ଼କୁ ଭୃକ୍ଷେପ ନାହିଁ । ଯେତବେଳେ ଧବଳେଶ୍ୱରଙ୍କ ଦେଉଳ ଆଗରେ ହେଲି, ମୋର ଜ୍ଞାନ ଫେରି ଆସିଲା । ଢୁ କରି ମୁଣ୍ଡ ବାଡେଇ ଦେଲି । ରକ୍ତ ଝରଝର ହୋଇ ବୋହିଗଲା । କହିଲି, “ପ୍ରଭୁ କଳା ବଳଦକୁ ଧଳା କରିଥିଲ, ମୋରି କର୍ମକୁ ପଥର ହୋଇଗଲା । ତୋ ଆଗରେ ପରା ସବୁକଥା ହୋଇଥିଲା ।” ପୁଣି ମନେ ବିଚାରିଲି, “ରଜନୀକୁ ଦେଉଳ ଭିତରେ କୁଣ୍ଢାଇ କରି ଚୁମ୍ୱନ ଦେଲି ବୋଲି କଅଣ ଠାକୁର ରାଗି ଗଲେ । ମତେ ବାବନାଭୂତ କରି ବୁଲାଇଲେ ।”

 

ଏହା ପରେ କେତେ ଆଡ଼େ ବୁଲିଲି, କେତେ କେତେ ଦୁଃଖ ଦୁର୍ଦ୍ଦଶା ଭୋଗ କଲି, ସେଗୁଡାକ ଆପଣଙ୍କ ଆଗରେ କଅଣ ବା କଅଣ କହିବି ? ଲୋକେ ମତେ ପାଗଳ ବୋଲି ଘଉଡ଼ିଲେ । ବାରବୁଲାଙ୍କପରି ବୁଲି ବୁଲି ଯାଇକରି ପ୍ରାୟ ଚାରିମାସ ପରେ ବାଲେଶ୍ୱରରେ ପହଞ୍ଚିଲି । ଡିହ ବିକା ଟଙ୍କାତକ ନୋଟ ବନ୍ଧାଇ ବଡ଼ ସାବଧାନରେ ଅଣ୍ଟାରେ ଖୋଷିଥାଏ । ପ୍ରାୟ ଦିନ ବାରଟା ବେଳ ହେବ । ଜଳଖିଆ କରିବି ବୋଲି ଟଙ୍କା ଖୋଜିଲା ବେଳକୁ ଟଙ୍କା ନାହିଁ । ପୂର୍ବ ଦିନ ରାତିରେ ଜଣକ ଦୋକାନ ପିଣ୍ଡାରେ ଆଶ୍ରୟ ନେଇଥିଲି । ରାତିରେ ଜର ହେଲା । ଜର ବାଉଳାରେ ସେ ଟଙ୍କା ବୋଧହୁଏ ଅଣ୍ଟାରୁ ଖସି ପଡ଼ିଥିବ । କଅଣ କରିବି ? ରାସ୍ତାଏ ରାସ୍ତାଏ ଦେଖି ଦେଖି ଗଲି । ସେ ଦୋକାନ ପିଣ୍ଡା ପାଖରେ ଯାଇକରି ଖୋଜିଲି । ପାଇଲି ନାହିଁ । ଭାରି ଭୋକ ହେଉଥାଏ । ଭିକତ ମାଗି ପାରିବି ନାହିଁ । ଉପାୟ? ବାଲେଶ୍ୱର ସହରକୁ ଫେରିଲି । ସଞ୍ଜବତୀ ଲାଗିଲା । ଭୋକରେ ଝୋଲା ମାରି ଯାଉଥାଏ । ଜଣେ ଓକୀଲବାବୁଙ୍କ ବୈଠକଖାନାକୁ ପଶିଗଲି । ଦେଖିଲି, ମହକିଲମାନେ ଟଙ୍କା ଦେଉଛନ୍ତି । ଓକିଲବାବୁ ଗଣିକରି ନେଉଛନ୍ତି । ମୋର ରୂପଭେକ ଦେଖି, ଓକୀଲବାବୁ ଓ ତାଙ୍କ ମୋହରିରମାନେ ମତେ ପଦାକୁ ବାହାରି ଯିବାପାଇଁ କହିଲେ । ମୁଁ ଭାବିଲି, ଇଂରାଜିରେ କହିଲେ, ଓକୀଲବାବୁ ମୁଁ ଜଣେ ଇଂରାଜି ପଢ଼ୁଆ ବୋଲି ଜାଣି ନିଶ୍ଚୟ କିଛି ଦେବେ । ମୁଁ ଚଳନସହି ମୁତାବକ ଇଂରାଜୀ କହି ପାରୁଥିଲି । କହିଲି, “ମୋର ଟଙ୍କାତକ ହଜିଗଲା । ଅନୁଗ୍ରହ କରି କିଛି ଦିଅନ୍ତୁ ।” ମୋ କଥା ଶୁଣି ଓକୀଲବାବୁ ମଧ୍ୟ ଇଂରାଜିରେ ଜବାବ ଦେଲେ, “ଦୁଃଖିତ ହେଲି, ମୋ ପାଖରେ କିଛି ନାହିଁ ।” ଆଗରେ ଏତେ ଟଙ୍କା ଥୁଆ ହୋଇଛି । ମାତ୍ର ତାଙ୍କ ନିକଟରେ କିଛି ନାହିଁ ବୋଲି ସେ ଭାରି ଦୁଃଖିତ । ଏହା ଉପରେ ମୋର ଆଉ କଅଣ କହିବାର ଅଛି ? ନିରାଶରେ ଫେରିଲି । ତାପରେ ଜଣେ ବଡ଼ କବିରାଜଙ୍କ ଦୋକାନରେ ପହଞ୍ଚି କିଛି ସାହାଯ୍ୟ ମାଗିଲି । ମୋର ଦୀର୍ଘ ଶ୍ମଶ୍ରୁ ଓ ରୁକ୍ଷକେଶବାସ ଦେଖି ସେ ସଙ୍ଗୀମାନଙ୍କୁ କହିଲେ, “ଲୋକଟାର କିଛି ଖରାପ ଉଦ୍ଦେଶ୍ୟ ଥିଲାପରି ଜଣାଯାଉଛି”, ମତେ ଚାହିଁ, “ଅନୁଗ୍ରହ କରି ରାସ୍ତା ଦେଖନ୍ତୁ ।” ସ୍ଥିର କଲି ପ୍ରାଣ ପଛକେ ଯାଉ, ଆଉ କାହାରି ପାଖରେ ହାତ ପତାଇବି ନାହିଁ । ମନେ ପଡ଼ିଲା, ମୋ ହାତକୁ ରକ୍ତ ଗଡୁଥିଲା ବୋଲି ଗୋଟିଏ ସୁନା ଡ଼େଉଁରିଆ ଓଷଦ ପୁରାଇ ବାହାରେ ବାନ୍ଧିଥିଲି । ପାଞ୍ଚଟଙ୍କାରେ ଡେଉଁରିଆଟି ଗଢାଇ ଥିଲି । ନିତାନ୍ତ ଦୁଇଟଙ୍କା ହେବ ବିକିଲେ । ହାତରୁ ଛିଣ୍ଡାଇ ଗୋଟିଏ ଅଳଙ୍କାର ଦୋକାନକୁ ଗଲି । ଦୋକାନରୁ ନରେନ୍ଦ୍ର ବାବୁ ବାହାରି ଆସୁଥିବାର ଦେଖି ମୁଁ ଚିହ୍ନା ନ ଦେଇ ଟିକିଏ ଆଡ଼ ହୋଇଗଲି । ନରେନ୍ଦ୍ରବାବୁ ଏହି ବାଲେଶ୍ୱର ଆଡର ଜଣେ ବଡ଼ ଜମିଦାର । ମାଲିମକଦ୍ଦମାରେ କଟକ ଯାଆସ କରନ୍ତି । ଦୀନୁବାବୁଙ୍କ ବସାରେ ରହନ୍ତି, ତେଣୁ ମୋର ବିଶେଷ ପରିଚିତ । ସେ ଆଗକୁ ଦୁଇ ଚାରି ପାଦ ଯାଇ ପୁଣି ଫେରିଆସି ମୋ ମୁହଁକୁ ନିଠେଇ କରି ଚାହିଁଦେଲେ, “କିଏ ପିତାମ୍ୱର ମାଷ୍ଚେରେ ।” ମୁଁ ଧରାପଡ଼ି ବାଧ୍ୟ ହୋଇ ନମସ୍କାର କଲି । ସେ ମୋର ରୂପ ଭେକ ଦେଖି ବଡ଼ ଦୁଃଖିତ ହୋଇ କହିଲେ, “ଆସ ଆସ ବସାକୁ ଆସ ।” ମୁଁ କୁନ୍ଥୁ କୁନ୍ଥୁ ହେବାରୁ ସେ ମୋ ହାତଧରି ଭିଡ଼ି ନେଇଗଲେ । ମୁଁ ତାଙ୍କ ସାଙ୍ଗରେ ଗଲି । ଅଳ୍ପସମୟ ନୀରବ ରହି ସେ କହିଲେ, “ମୁଁ ଏଥିମଧ୍ୟରେ କଟକ ଯାଇଥିଲି । ଦୀନୁବାବୁଙ୍କଠାରୁ ସବୁ ଶୁଣିଲି । ସେହି ଗୁଲିଖୋର ଦାମା ମୋହରିର ଝିଅ ଯୋଗୁ ତୁମେ କୁଆଡ଼େ ଘରଡିହ ବିକି ସବୁ ଛାଡ଼ି କରି ପଳାଇ ଆସିଛ । ଆଉ ହବାର କଥା ନୁହେ ! ବାହା ହେବାକୁ ଇଚ୍ଛାଥିଲେ କଅଣ କନ୍ୟା ଅପୂର୍ବ ହୋଇଛନ୍ତି ? ଏହି କଥାକୁ ଏବେ ଏତେ ଦଶା ।” ତାଙ୍କ ବସାଠାରେ ଆସି ପହଞ୍ଚିଲୁ । ସାଙ୍ଗେ ସାଙ୍ଗେ ଚାକରକୁ ଡାକି ତାଙ୍କ ନିଜର ଗୋଟିଏ ବାସୀଧୋବ ଲୁଗା ମଗାଇ ମତେ ପିନ୍ଧିବାକୁ ଦେଲେ । ମୋର ଛିଣ୍ଡା ମଶିଆ ଲୁଗାକୁ ଚାକର ହାତରେ ଫୋପାଡ଼େଇ ଦେଲେ । ଖାଇବାକୁ ବଢା ହେଲା । ମୁଁ ତାଙ୍କ ପାଖରେ ବସିକରି ଖାଇଲି । ବିଛଣା ପଡ଼ିଲା, ଶୋଇଲି । କଟକ ଛାଡ଼ି ଆସିବା ଦିନରୁ ଭୂମିଶଯ୍ୟାରେ ଶୋଉଥିଲି । ବାରଆଡ଼ୁ ବାର କଥାଭାବି ମତେ କେତେବେଳେ ନିଦ ହୋଇଗଲା ।

 

ସକାଳୁ ଉଠିଲା ବେଳକୁ ପ୍ରାୟ ନଅଟା ବାଜିଗଲାଣି । ବହୁଦିନ ପରେ ଗାଢ଼ନିଦ୍ରା ହୋଇଥିଲା । ଦେହଟା ମଧ୍ୟ ଅନେକାଂଶରେ ହାଲୁକା ଲାଗିଲା । ଭଣ୍ଡାରି ଡକାଇ ମତେ କ୍ଷରବାର କରାଇ ଦେଲେ । ଚାକର ପାଣି ଓ ସାବୁନ ଦେଇ ଗଲା । ବହୁଦିନ ପରେ ସଫା ସୁତ୍ରା ହୋଇ ଗାଧୋଇଲି । ଦେହରେ ଆଣ୍ଠୁଏ ବହଳର ମଳି ବସି ଯାଇଥିଲା । ମୋ କାନ୍ଧରେ କୌଣସି ବ୍ରହ୍ମରାକ୍ଷସ ସବାର ହୋଇଥିଲା, ଜଣାଗଲା ଆଜି ସେ ଓହ୍ଲାଇ କରି ଚାଲିଗଲା । ମନଟା ମଧ୍ୟ ଟିକିଏ ପ୍ରକୃତିସ୍ଥ ହେଲା ।

 

ବାଲେଶ୍ୱରରେ ଦୁଇଦିନ ରହି, ବଳଦ ଗାଡ଼ିରେ ବସି ତାଙ୍କ ଗାଁ ଯିରାପୁରକୁ ଗଲୁ । ଯିରାପୁର ପ୍ରାଇମେରୀ ସ୍କୁଲର ପ୍ରଥମ ଶିକ୍ଷକ ସ୍ଥାନ ଖାଲି ପଡ଼ିଥିଲା । ମୁଁ ପନ୍ଦରଟଙ୍କା ବେତନରେ ସେଥିରେ ନମୁଦ୍ ହେଲି । ତହିଁଆରଦିନ ପ୍ରଥମ ହୋଇ ସ୍କୁଲକୁ ଗଲି । ସ୍କୁଲ ଘରଟି ଗାଁର ଶେଷମୁଣ୍ତରେ । ବଡ଼ ରମଣୀୟ ସ୍ଥାନ । ଚାରିଆଡ଼େ ନାନାଦି ଫୁଲଗଛ ଲାଗିଛି । ମଲ୍ଲୀ, ନିଆଳୀ, ଟଗର, ସେବତୀ, ଦଅଁଣା, ମରୁଆ ଗୋଲାପ, କରବୀର, ଆଉ କେତେ କଅଣ ? ଚାରିଆଡ଼ ପରିଷ୍କାର ପରିଚ୍ଛନ୍ନ । ତଳେ ଭାତ କୁଢ଼ାଇ ଖାଇବ । ଘର ପଛପଟକୁ ପନିପରିବା ବଗିଚା । କାନ୍ଧି କାନ୍ଧି ହୋଇ କଦଳୀ ଫଳିଛି । ମନଟା ବଡ଼ ଖୁସି ହୋଇଗଲା । ପ୍ରାୟ ସତୁରୀଜଣ ପିଲା ଉପସ୍ଥିତ ଥିଲେ । କିଏ ଗଛରେ ପାଣି ଦେଉଛି ତ, କିଏ ଶାଗ ପଟାଳୀ ହାଣୁଛି ? କିଏ ବାଇଁଗଣ ମୂଳ କୋଡ଼ୁଛିତ, କିଏ ଗାଁରୁ ଖତ ଆଣି ବିଞ୍ଚୁଛି । ସେକେଣ୍ଡ ପଣ୍ଡିତ ବ୍ରାହ୍ମଣ । ସ୍କୁଲପାଖ ଚାଳିଆରେ ରନ୍ଧା ବଢ଼ା କରନ୍ତି । ସ୍କୁଲ ଘରେ ଶୁଆ ବସା କରନ୍ତି । ତାଙ୍କରି ସାଙ୍ଗରେ ରହିଲି । ଉପରଓଳି ପାଞ୍ଚ ଛଅଟି ପିଲାଆସି ଚୂଲ୍ଲିଚୌକା କରିଦେଲେ, ପରିବା କଟା, ମସଲା ବଟା, ଘର ଓଳିଆ ଆଦି କାମମାନ କରିଦେଇ ଚାଲିଗଲେ । ତହିଁ ଆରଦିନ ସକାଳୁ ପୁଣି ପାଞ୍ଚ ଛଅଟି ପିଲା ଅଇଲେ । କାହା ହାତରେ ପଟାଛଡ଼ା ଭଙ୍ଗାଶିଲଟ, କାହା ହାତରେ ଚିରା ବର୍ଣ୍ଣବୋଧକ ଖଣ୍ଡେ । ପଢ଼ା ଆରମ୍ଭ ହେଲା । ସୋରେଅ, ସୋରେଅ, ଶିଲଟବାଲା ପିଲାଟିର ଏଇଥିରେ ଓଳିଟି ଗଲା । ପାଇକ ସାଜିଲା, କାହାଳୀ ବାଜିଲା, ହାତୀ ଅଇଲା ଚାଲିରେ, ବହିପଢ଼ା ସାଙ୍ଗ ହେଲା । ପୁଣି ପାଣି ଅଣା, ପରିବାକଟା, ମସଲାବଟା, ତା ପରେ ଛୁଟି । ଦିତ୍ୱୀୟ ଶିକ୍ଷକଙ୍କଠାରୁ ଶୁଣିଲି, ମୁଁ ନୁଆ ହୋଇ ଆସିଲି ବୋଲି ଜମିଦାରଙ୍କ ପିଆଦା ଯାଇ ସବୁ ପିଲାଙ୍କ ଘରେ ଡାକି ଦେଇ ଆସିଥିଲା । ସବୁପିଲା ପ୍ରଥମ ଦିନ ସକାଳେ ଆସିଥିଲେ । ସ୍କୁଲବାବୁ ଆସିଲାଦିନ ପିଆଦା ଯାଇଁ ଡାକିଆସେ, ସମସ୍ତେ ଆସନ୍ତି । ପୂର୍ବେ ଛାତ୍ରସଂଖ୍ୟା ଦେଢ଼ଶହ ଥିଲା । ଗାଁ ଦୁଇଫାଙ୍କ ହେଲାଦିନୁ ପୂର୍ବ ମୁଣ୍ଡରେ ଖଣ୍ଡିଏ ଚାହାଳୀ ବସିଛି । ବର୍ତ୍ତମାନ ଛାତ୍ରସଂଖ୍ୟା ସତୁରୀ, ମାତ୍ର ପ୍ରତ୍ୟହ ପାଞ୍ଚଛଅଟି ପିଲା ଆସନ୍ତି । ବର୍ଷକରେ ଥରେ ଖଣ୍ଡେ ସ୍କୁଲବାବୁ ଆସନ୍ତି । ଜମିଦାରଙ୍କ ବଙ୍ଗଳାରେ ଦିନେ ଓଳିଏ ରହିଁ ସ୍କୁଲରେ ଟିକିଏ ମୁହଁ ମାରିଦେଇ ଦର୍ଶକାଭିପ୍ରାୟ ବହିରେ ଭଲ କରି ଦୁଇ ଚାରିଧାଡ଼ି ଲେଖିଦେଇ ବିଦାୟ ହୁଅନ୍ତି । ଏହା ଶୁଣି ମୁଁ ବଡ଼ ଉତ୍ତେଜିତ ହୋଇ କହିଲି-“ଦେଖ, ଏତେଗୁଡ଼ିଏ ପିଲାଙ୍କର ଶିକ୍ଷାରଭାର ଆମ ଉପରେ, ଅଥଚ ଆମେ କର୍ତ୍ତବ୍ୟରେ ଏପରି ଅବହେଳା କରିବା, ଏଇଟା ଗୋଟାଏ ଅତି ଜଘନ୍ୟ ଅପରାଧ । ଏଣିକି ଆମ୍ଭମାନଙ୍କୁ ପ୍ରାଣପାତ କରି ପରିଶ୍ରମ କରିବାକୁ ହେବ ।” ସେକେଣ୍ଡ ପଣ୍ଡିତ ମୋ କଥା ଶୁଣି ଟିକିଏ ହସିଦେଲେ, ମାତ୍ର କିଛି କହିଲେ ନାହିଁ । ମନେ ମନେ ତାଙ୍କ ଉପରେ ବଡ଼ ବିରକ୍ତ ହେଲି ।

 

ତହିଁ ଆରଦିନ ସନ୍ଧ୍ୟାକୁ ଯାଇ ଗ୍ରାମର ଭାଗବତ ଘରେ ପହଞ୍ଚି ଗ୍ରାମର ମୁଖିଆ ମୁଖିଆ ଲୋକମାନଙ୍କୁ ଡକାଇ ଶିକ୍ଷା ବିଷୟରେ ଗୋଟିଏ ଦୀର୍ଘ ଓ ସୁଚିନ୍ତିତ ବକ୍ତୃତା ଦେଲି । ସମସ୍ତେ ବଡ଼ ମନଯୋଗ ସହକାରେ ଶୁଣିଲେ । ସଭା ଶେଷରେ ପଚାରିଲି, “କାହାର କଅଣ କହିବାର ଅଛି?” ସମସ୍ତ ଏକସ୍ୱରରେ କହିଲେ- ଆପଣ କେଉଁ ଅବିଧି କଥା କହୁଛନ୍ତି ଯେ, ଆମେ ତା ଉପରେ ଆଉ କଅଣ କହିବୁ । ଆମରି ପାଇଁ ସିନା କହୁଛନ୍ତି । ମନରେ ବଡ଼ ଆଶା ହେଲା । ମୁଁ ଭାଗବତ ଘର ପାହାଞ୍ଚରୁ ଓହ୍ଲାଇବା ବେଳେ ଜଣେ ବୁଢ଼ା କହିଲେ- “ଆଜ୍ଞା ! ଆମେ ହେଲୁ ମୂଲିଆମହାକାଳୀଆ ମୁଣ୍ଡ, ଆମର ପାଠ କଅଣ ହେବ । ଆମ ପୁଅମାନେତ ପାଠପଢ଼ି ଦିପୋଟି କିଲଟର ହେବେ ନାହିଁ ।” ତା ପଛକୁ ଆଉ ଜଣେ ଆରମ୍ଭ କଲା- ଅବଧାନେ କଥାରେ କହନ୍ତି ପରା ସକାଳୁଉଠି ନଙ୍ଗଳେ ଯାଆନ୍ତି ତୋଡ଼ାଣୀ ହେମ କାକର । ଚାଷୀମୂଲିଆଘରର ପୁଅ, ସକାଳୁ କିଏ ଗୋଛାଏ ଘାସ କାଟି ଆଣିବ କିଏ ବା ବିହନ ଟୋକାଇଟା ନେଇ ବିଲକୁ ଯିବ, କିଏ ବା ଗୋରୁ ଦିଇଟାଙ୍କୁ ଚରେଇ ଆଣିବ । ଆମର ପାଠ କଅଣ ହେବ । ବ୍ରାହ୍ମଣ କରଣ ଘର ପିଲାଙ୍କୁ ପାଠ ପଢ଼ିବା ସାଜେ ।

 

ଆଉ ଜଣେ- ତାହାନୁହେଁ କଅଣ ? କର୍ମରେ ନଥିଲେ ଯେତେ ପଢ଼ିଲେ କଅଣ ହେବ । ଯେଉଁ ମୁରୁଖକୁ ସେହି ମୁରୁଖ । ଜମିଦାର ଇସୁକୁଲ ବସାଇଛନ୍ତି । ମାସକରେ ଥରେ ଦୁଇଥର ସେଠାକୁ ନ ଗଲେ ସରକାର ଜମିଦାରଙ୍କୁ ଧରିବ ।

ଆଉଜଣେ- ଆଜ୍ଞା ସମସ୍ତେତ ଯୋଗୀ ହେବେ, ଭିକଦେବ କିଏ ? ଏ ସବୁ କଥା ଶୁଣି ବଡ଼ ନିରାଶରେ ଫେରିଲି ।

 

ଏଲ, ଏସ୍, ଜିର ମୌଖିକ ଅଡର ହେଲା- “ତେଣେ ହୋଟେଲ କବାଟ ପଡ଼ିଯିବ ଯେ! ତୁମକୁ କଅଣ ରାତି ଦେଖାଯାଉନାହିଁ ।

ହୋଟେଲକୁ ଫେରିଲି ।

 

ପଞ୍ଚମ ସନ୍ଧ୍ୟା

ଆଜି ପୁରକାକେରା, ନାନମାନ, ମଣ୍ଡା, ବିରିଲଡୁ ଦହିବରା ଓ ପୁଳି । ମୁଁ ଘିଅ ପିଠା ଖାଇବାକୁ ଭଲ ପାଏ ନାହିଁ । ଉଣା ଅଧିକେ କିଛି ଖାଇଲି । ତାପରେ ଦାଣ୍ଡଘରେ ଆସି ବସିଲୁ ।

 

ମୁଁ- ହଁ, ଯିରାପୁର ସ୍କୁଲରେ ମାଷ୍ଟର ହୋଇ ରହିଲେ, ତାପରେ କଅଣ ହେଲା ।

 

ମିଆଁ ସାହେବ ଆରମ୍ଭ କଲେ:- ଆପଣ ସେ କାମକୁ ମାଷ୍ଟର ହେବା କହୁଛନ୍ତି । ସରକାରଠାରୁ ପନ୍ଦର ଟଙ୍କା ପାଇ ଜମିଦାରଙ୍କ ପାଖରେ ଆଜ୍ଞାବକା ହୋଇ ରହିବା ଚାକିରୀ ସେ । ରାତି ଦୁଇଟାରେ ଶୋଇବାକୁ ହୁଏ । ସକାଳୁ ଉଠୁ ଉଠୁ ଦିନ ଦଶଟା । ନିତ୍ୟକର୍ମ, ଖିଆପିଆ ସରୁ ସରୁ ଦିନ ଦୁଇଟା । ଟିକିଏ ବିଶ୍ରାମ, ତା ପରେ ଝାଡାଝପଟ ଫେରି ହଲଟହଲ ହେଉ ହେଉ ସନ୍ଧ୍ୟା । ତାପରେ ଜମିଦାରଙ୍କ କଚିରିରେ ହାଜିରା ଦେବାକୁ ପଡ଼େ । ରାତି ଦୁଇଟା ପର୍ଯ୍ୟନ୍ତ ନାନାଦି ଖୁସ୍‌ଗପ ଓ ଗ୍ରାମର ରାଜନୀତି ଓ ସମାଜନୀତି ଚର୍ଚ୍ଚା । ଏହାହିଁ ହେଲା ଦୈନନ୍ଦିନ କାର୍ଯ୍ୟନିର୍ଘଣ୍ଟ ।

 

ମୁଁ ଆଗରୁ କହିଛି, ଯିରାପୁର ଲୋକମାନଙ୍କ ମଧ୍ୟରେ ଖୁବ୍ ଦଳାଦଳି ଚାଲିଥାଏ । ଗୋଟିଏ ଦଳର ଦଳପତି ସ୍ୱୟଂ ଜମିଦାର, ଅନ୍ୟ ଦଳର, ମହନି ମୁଦୁଲି କୁମ୍ଭାର ହେଉଛି, ପରିଛା । ମହନି ପୂର୍ବେ ବଡ଼ ଗରିବ ଥିଲା । ପୁଅଟି ପାରି ଯିବାରୁ କାଳୀମାଟି ଲୁହା କଳରେ କାମ କରି ଦିନକୁ ଛଅ ଟଙ୍କା ପାଏ । ତେଣୁ ମୁଦୁଲି ପୁଅ ଭଲରେ ମୁଠିଏ ଖାଇପିଇ କରି ଚଳେ । ବର୍ଷକୁ ବର୍ଷ ମାଣେ କଣେ ବି କିଣା ଲାଗିଛି । ମୁଁ ଉଭୟ ଦଳଙ୍କୁ ମିଳାମିଶା କରାଇବା ପାଇଁ ବହୁତ ଚେଷ୍ଟା କଲି, ମାତ୍ର ମୋ କଥା ଶୁଣୁଛି କିଏ ? ଶିଳ ଶିଳପତା ଗଗନେ ଉଡୁଛି । ଶିମିଳି ତୁଳାକୁ ପଚାରେକିଏ ? ମୁଁ କ୍ରମେ କ୍ରମେ ଜମିଦାରଙ୍କ ଦଳ ସଙ୍ଗରେ ଓତପ୍ଳୋତ ଭାବରେ ଜଡ଼ିତ ହୋଇଗଲି । ନିଜର ଅନିଚ୍ଛାରେ ଜମିଦାରଙ୍କ ପ୍ରରୋଚନାରେ ଗୋଟାଏ ମକଦ୍ଦମାରେ ମହନି ମୁଦୁଲିନାଁରେ ମିଛ ସାକ୍ଷୀ ଦେଲି ।

 

ଜମିଦାରଙ୍କ କଚିରି ଗ୍ରାମର ପୂର୍ବମୁଣ୍ଡରେ । ସ୍କୁଲଟି ପଶ୍ଚିମ ମୁଣ୍ଡରେ । କଚିରିରୁ ଆସିଲାବେଳେ ଗାଁ ପଡ଼େ, ତା ପରେ ଆମ୍ୱତୋଟା, ତାପରେ ଗ୍ରାମଦେବତୀଙ୍କର ବିଜେସ୍ଥଳୀ, ତାପରେ ମହନି ମୁଦୁଲି ଘର । ତାପରେ କିଆ ଗୋହିରି, ବାଉଁଶବୁଦା, ତାପରେ ସ୍କୁଲ । ମୁଁ ରାତିଅଧରେ କଚିରିରୁ ଫେରିଲାବେଳକୁ ଗାଁରେ ସମସ୍ତେ ଖାଇପିଇ ଶୋଇପଡ଼ି ଥାଆନ୍ତି । ମହନାକୁମ୍ଭାର ବିପକ୍ଷରେ ସାକ୍ଷୀ ଦେଲାଦିନୁ ମୁଁ ପରସ୍ପରରେ ଶୁଣିଲି ଯେ କୁମ୍ଭାର ବାପୁଡ଼ା ମତେ ନିଛାଟିଆରେ ଦେଖିଲେ ଭଲ କରି ପାନେ ଦେଇଦେବ ବୋଲି ଚଦିଛି । ଏଥିଯୋଗୁଁ ଚିତାଏ ଚିତାଏ ଉଞ୍ଚର ଠେଙ୍ଗା ଧରି ଦୁଇ ଜଣ ପିଆଦା ଆସି ମତେ ସ୍କୁଲ ହତାରେ ଛାଡ଼ିଦେଇ କରି ଯାଆନ୍ତି । ମୁଁ ମଧ୍ୟ ଖଣ୍ଡିଏ ଦାଢ଼ୁଆ କଟୁରି ଘେନି ରାତିରେ ଯିବା ଆସିବା କରେ । ପଦାରେ କହିବୁଲେ, “ମୋ ଦେହରେ ଯେ ଟିପ ଛୁଇଁବ, ତାକୁ ଏ କଟୁରିରେ ଦିଗଡ଼ି କରିଦେବି, ମୋର କଅଣ ପୁଅ ମାଇପ ଅଛନ୍ତି ଯେ କାନ୍ଦିବେ ।” ଜମିଦାରଙ୍କ ପିଆଦା ସାଙ୍ଗରେ ଆସନ୍ତି । ମୁଁ ସେମାନଙ୍କୁ ଅଧବାଟରୁ ଫେରାଇ ଦେଇ ଏକୁଟିଆ ସ୍କୁଲକୁ ଯାଏ ।

ଖରାଦିନ ରାତି । ଜହ୍ନ ପଡ଼ିଛି, ମାତ୍ର ବଉଦ ଘୋଡାଇ ଥିବାରୁ ଚାରିଆଡ଼ ଝାପସା ଦେଖା ଯାଉଛି । ମୁଁ ଆସି କୁମ୍ଭାର ଘର ଦାଣ୍ଡରେ ହୋଇଛି, ତାଙ୍କ ଘର ଭିତରୁ ଗଁ ଗଁ ଶବ୍ଦ ଶୁଭିଲା । ବିପକ୍ଷ ଲୋକ, ତା ଘରେ ଯାହାପାରୁ ତା ହେଉ, ମୋର ସେଠାକୁ ଯିବାଟା ଅନୁଚିତ ବୋଲି ବିଚାରି ଚାଲି ଯାଉଥିଲି, ହଠାତ୍ ତା ପଶ୍ଚିମପାଖ ହାତିଅନ୍ଦ କବାଟରେ ଦୃଷ୍ଟି ପଡ଼ିଲା । ସେ କବାଟଟା ଠିଆ ମେଲା ହୋଇଛି । ଦୁଇ ଚାରିଟା କିଏ ସେ ବାଟେ ବାହାରି ଦୌଡ଼ି କରି ପଳାଇଲେ । ପୂର୍ବର ସନ୍ଦେହ ବୃଦ୍ଧି ପାଇଲା । ଏପରି ସମୟରେ ନ ଯିବାଟା କାପୁରୁଷତା ହେବ ବୋଲି ଭାବି କଟୁରୀଟିକୁ ଦୃଢ଼ ମୁଷ୍ଟିରେ ଧରି ପାଚିରି କବାଟବାଟରେ ଛକି ଛକି କରି ପଶିଲି । ଯାହା ଦେଖିଲି, ତହିଁରେ ମୋର ଜ୍ଞାନ ଲୋପ ପାଇଗଲା । ଅଗଣାରେ ମହନା ହଣା ହୋଇ ପଡିଛି, ଗଣ୍ଡି ଠାଏଁ, ମୁଣ୍ଡ ଠାଏଁ । ଦୁଆରେ ରକ୍ତ ଲହଡ଼ା ମାରୁଛି । କଟୁରୀ ହାତରୁ ଖସି ପଡ଼ିଲା । ମୁଁ ମୁଣ୍ଡରେ ହାତ ଦେଇ ମହନାର ଗଣ୍ଡି ପାଖରେ ବସି ପଡ଼ିଲି, ମୋ ଦେହ ମୁଣ୍ଡ ରକ୍ତ ହୋଇଗଲା । ଏହି ସମୟରେ କିଏ ଦୁଇ ଚାରିଜଣ ଖଞ୍ଜା-ଭିତରକୁ ପଶି ଆସି, “ଦଉଡ଼ି ଆସ, ପିତାମ୍ୱର ମାଷ୍ଟର ମହନା କୁମ୍ଭାରକୁ ହାଣି ପକାଇଲା” ବୋଲି ହୁଲର କଲେ । ତା ପରେ ଅନେକ ଲୋକ ଆସି ସେଠାରେ ରୁଣ୍ଡ ହେଲେ ଓ ମତେ ଦୁଇ ଚାରିଜଣ ଧରି କରି ପଛଆଡ଼ୁଆ କରି ପିଣ୍ଡା ଖୁଣ୍ଟରେ ବାନ୍ଧି ପକାଇଲେ ।

 

ଜମିଦାରଙ୍କର ଲୋକମାନେ ଖବର ପାଇ ମତେ ଉଦ୍ଧାର କରିବା ପାଇଁ ସଦଳ ବଳରେ ଆସି ସେଠାରେ ପହଞ୍ଚିଲେ । ଦୁଇଦଳ ମଧ୍ୟରେ ମାଡ଼୍‌ପିଟ୍ ହେଲା । ପାହାନ୍ତିଆ ପହରକୁ ପୁଲିଶ ଆସି ପହଞ୍ଚିବାରୁ ଗୋଳମାଳ ବନ୍ଦ ହୋଇଗଲା । ତଦାରଖ ଚାଲିଲା । ମୁଁ ସତ କଥା କହିଲି- ମାତ୍ର କେହି ମୋ କଥାକୁ କାନରେ ପକାଇଲା ନାହିଁ । ମୋ ବିପକ୍ଷରେ ଅନେକ ଲୋକ ଆସି ମିଥ୍ୟା ସାକ୍ଷ୍ୟଦେଇ ଗଲେ । ମହନା ସ୍ତ୍ରୀ ଘରଭିତରେ ହାତ ଗୋଡ଼ ବନ୍ଧା ହୋଇ ପଡ଼ିଥିଲା । ସେ ମଧ୍ୟ ମୋ ବିପକ୍ଷରେ କଞ୍ଚା ମିଛ ଗପି ଦେଇଗଲା । ଲାସ ମାଇନା ପାଇଁ ପଠାଗଲା ଓ ମୁଁ ଚଲାଣ ହେଲି । ମକଦ୍ଦମା ଚାଲିଲା । ମୁଁ ଦୋଷୀ ବୋଲି ପ୍ରମାଣିତ ହେଲା । ଶେଷରେ କଳାପାଣି ହୁକୁମ ହେଲା । ଜମିଦାର ଅବଶ୍ୟ ଭଲ ଭଲ ଓକିଲ ଦେଇ ମୋ ପକ୍ଷରେ ଲଢ଼ିଥିଲେ । ମୁଁ ରେଳରେ କଲିକତା ଯାଇ ସେଠାରେ ବୋଇତରେ ବସିଲି । ଏ ସବୁ ଦେଖି ମୁଁ ଏକ ପ୍ରକାର କାଠ ପାଲଟି ଯାଇଥାଏ । ମନେ ମନେ ଭାବିଲି, ମୁଁ ଯଦି ରଜନୀକୁ ବିବାହ କରି ଥାଆନ୍ତି, ତାହାହେଲେ ଆଜି ତାର ଅବସ୍ଥା କଅଣ ହୋଇ ଥାଆନ୍ତା । ପୁଣି ଭାବିଲି, “ରଜନୀକୁ ପାଇଥିଲେ, ମୁଁ ବାଲେଶ୍ୱର କାହିଁକି ଆସି ଥାଆନ୍ତି ଅବା ଏ ଦୁର୍ଦ୍ଦଶାରେ ପଡି ଥାଆନ୍ତି ?” ମୁଁ ଆଜି ପ୍ରଥମ ହୋଇ ଅନୁଭବ କଲି ଯେ, ମୋ ପରି ଗୋଟାଏ ଲୋକର ଏ ପୃଥିବୀରେ ରହିବା ବା ନ ରହିବାର କିଛି ଅର୍ଥ ନାହିଁ । ମୁଁ ମଲେ କେହି କାନ୍ଦିବାକୁ ନାହିଁ କିମ୍ୱା ବଞ୍ଚି ରହିଲେ କେହି ଖୁସି ହେବାକୁ ନାହିଁ । କେତେ ଦିନ ପରେ ଜାହାଜ ଯାଇଁ ଆଣ୍ଡାମାନ ଦ୍ୱୀପରେ ଲାଗିଲା । ମୁଁ ମୋ ସାଙ୍ଗ କଇଦୀମାନଙ୍କ ସାଙ୍ଗରେ ଯାଇଁ ସେଠାର ଜେଲ ଭିତରେ ରହିଲି । କିଛି ଦିନ ପରେ ମୁଁ ଶତରଞ୍ଜି ଓ ଗାଲିଚା ବୁଣିବା କାମରେ ବଡ଼ ପ୍ରବୀଣ ହେଲି । ମୋର ଆଚାର ବ୍ୟବହାର ଦେଖି ମତେ ତିରିଶି ଜଣ କଇଦିଙ୍କ ଉପରେ ସରଦାର କରି ଦିଆ ହେଲା । ମୁଁ ମଧ୍ୟ କିଛି କିଛି ପାରିଶ୍ରମିକ ପାଇଲି ଓ ପଦାକୁ ଯିବା ଆସିବା କରିବାରେ ମୋର କୌଣସି ବିଶେଷ ବାଧା ରହିଲା ନାହିଁ । ଏହିପରି ସେଠାରେ ବାରବର୍ଷ କଟିଗଲା ।

 

ମତେ ସେତେବେଳକୁ ପ୍ରାୟ ତିରିଶ ବର୍ଷ ହେବ । ଦିନେ ବଡି ସକାଳୁ ବଡ଼ ସାହେବ ଡାକି କରି ମତେ ଓ ଆଉ କେତେ ଜଣ କଇଦିଙ୍କୁ ପଚାରିଲେ, “ନୂଆରଜା ଗାଦିରେ ବସୁଛନ୍ତି, ତୁମ୍ଭମାନଙ୍କୁ ଛାଡ଼ ମିଳିଲା । ଦେଶକୁ ଯିବ ନା, ଏଠାରେ ରହିବ ? ଏଠାରେ ବସବାସ କରି ରହିଲେ, ସରକାର ଜମିବାଡି ଦେବେ ଓ ଟଙ୍କା ପଇସା ସାହଯ୍ୟ କରିବେ ।” ମୁଁ ଭାରି ଆନନ୍ଦିତ ହୋଇ ଦେଶକୁ ଯିବି ବୋଲି କହିଲି । ମୁଁ ଭାବି ଥିଲି, ସମସ୍ତେ ନିଶ୍ଚୟ ମୋ ପରି କହିବେ । ମାତ୍ର କେତେ ଜଣ ସେଠାରେ ଘର ଦ୍ୱାର କରି ରହିବାକୁ ମଙ୍ଗିଲେ ।

 

ତହିଁ ଆରଦିନ ସକାଳ ଆଠଟା ବେଳକୁ ଖିଆ ପିଆ କରି ଆସି ଜାହାଜରେ ବସିଲୁ । ଏହି ସମୟରେ କେତେ ଗୁଡ଼ିଏ ସ୍ତ୍ରୀ କଇଦିଙ୍କୁ ମଧ୍ୟ ଜାହାଜକୁ ଅଣାଗଲା, ସେମାନଙ୍କ ମଧ୍ୟରେ ରଜନୀକୁ ଦେଖି ମୁଁ ପ୍ରଥମେ ମୋର ଆଖିକୁ ବିଶ୍ୱାସ କରି ପାରିଲି ନାହିଁ । ରଜନୀ ମତେ ଦେଖି “ମାଷ୍ଟେରେ” ବୋଲି କହି ବିଜୁଳି ପରି ଚମକି ଆସି ମତେ କୁଣ୍ଢାଇ ପକାଇ ମୂର୍ଚ୍ଛା ହୋଇଗଲା । ମୁଁ ସିନା ଆଖିରେ ଜଳ ଜଳ କରି ଚାହିଁଥିଲି, ମାତ୍ର ମୋର ଜ୍ଞାନ ନ ଥିଲା । ଲୋକେ ଛିଞ୍ଚା ବିଞ୍ଚା କରିବାରୁ ଚେତା ହେଲା ।

 

ଆହୁରି ଶୁଣିବାରୁ ଇଚ୍ଛା ହେଉଥିଲା, ମାତ୍ର ନେପଥ୍ୟରୁ ଶୁଣାଗଲା, “ରାତି ପାହିଯିବ ପରା ।” ହୋଟେଲକୁ ଫେରିଲି ।

 

ଷଷ୍ଠ ସନ୍ଧ୍ୟା

ଆଜି ଭାତ ଡାଲି ମାଛ ତିଅଣ, ଭଜା ଆମ୍ୱିଳ ଇତ୍ୟାଦି । ବହୁ ଦିନ ହେଲା ନାନାଦି ଗୁରୁପାକ ଖାଦ୍ୟ ପରେ ଆଜିର ଏ ଖାଇବା ବଡ ରୁଚିକର ହେଲା । ଖାଇକରି ଦାଣ୍ଡଘରକୁ ଗଲୁ-ମିଆଁ ସାହେବ କହିଲେ, “ସେ ତାଙ୍କ କଥା ଖଣ୍ଡିଏ ଖାତାରେ ଲେଖିକରି ରଖିଚନ୍ତି । ମୁଁ କହିବା ଅପେକ୍ଷା, ସେ ଖଣ୍ଡିକ ଆପଣଙ୍କ ଆଗରେ ପଢ଼ୁଛି, ଶୁଣନ୍ତୁ ।”

 

ମୁଁ କହିଲି- ଆପଣ ଟଙ୍କା ପାଇଁ ଗ୍ରାମକୁ ଗଲେ, ତାପରେ କଅଣ ହେଲା ? ମୂଳରୁ ନ ପଢ଼ି ସେହିଠାରୁ ପଢ଼ନ୍ତୁ ।

 

ମିଆଁସାହେବ- ଆପଣ ତ ଖୁବ୍ ମନେ ରଖିଛନ୍ତି । ତେବେ ଶୁଣନ୍ତୁ । ପଢ଼ା ଆରମ୍ଭ କଲେ:-

 

ଟୁକମା ଆସି ଆମ ବସାରେ ପହଞ୍ଚିବା ମାତ୍ରେ ମୁଁ ଜାଣିଲି ସେ କାହିଁକି ଆସିଛି । ଘର ଭିତରକୁ ପଶିଗଲି । ମାତ୍ର ନିଶ୍ୱାସ ବନ୍ଦ କରି କବାଟ କଣରେ ଲୁଚିକରି ସେମାନଙ୍କର କଥାବାର୍ତ୍ତା ଶୁଣିଲି । ମା କାଳୀଙ୍କ ଉଦ୍ଦେଶ୍ୟରେ କାନ୍ଥରେ ମୁଣ୍ଡିଆ ମାରି ମନେ ମନେ ଜଣାଇଲି, “ମା! ମାଉସୀ ଯଦି ସୁରୁଖୁରୁରେ ମଙ୍ଗିଯିବେ, ତେବେ କାଲି ସକାଳେ ମନ୍ଦାର ଫୁଲ ତୋଳି ନିଶ୍ଚେ ମାଳ କରି ତୋ ପାଖକୁ ପଠାଇବି ।” ମାଉସୀ ରାଜିହେଲେ । ଟଙ୍କା ସଜିଲ କରିବା ପାଇଁ ଜବାବ ଦେଲେ । ମଗୁଶିର ମାସରେ ବାହାଘର ହେବ ବୋଲି ମଧ୍ୟ କଥା ଠିକ୍ ହୋଇଗଲା । ମୋ ପିଣ୍ଡରେ ପ୍ରାଣ ପଶିଲା । ମତେ ଜଣାଗଲା ମୋ ଦେହଟା ଭାରି ହାଲୁକା ହୋଇ ଗଲାଣି । ଫୁଙ୍କି ଦେଲେ ବୋଧହୁଏ ଶିମିଳୀ ତୁଳାପରି ଶୁନ୍ୟରେ ଉଡିଯିବି । ସନ୍ଧ୍ୟାକୁ ସବିତା ଆସିଲା । ତାଠାରୁ ଶୁଣିଲି, ମାଷ୍ଟେରେ କାଲି ସକାଳୁ ଗାଁକୁ ଯିବେ । କାହିଁକି ଯିବେ ବୁଝିଲି । ରାତିରେ ଶୋଇଲି, ନିଦ ହେଲାନାହିଁ । କେତେ ସୁଖ ସ୍ୱପ୍ନ ଦେଖିଲି । ରାତି ପ୍ରାୟ ଦୁଇଟା ହେବ, ବାପା ବାଲେଶ୍ୱରରୁ ଆସି ପହଞ୍ଚିଲେ । ମାଉସୀ ଉଠିକରି କବାଟ ଫିଟାଇଲେ । ବାପା ଗୋଡ଼ହାତ ଧୋଇ ଜଳଖିଆ କରି ବସିଲେ । ମାଉସୀ ନିଶ୍ଚୟ ମାଷ୍ଟରଙ୍କ ସାଙ୍ଗରେ ମୋର ବିବାହ ପ୍ରସଙ୍ଗ କଥା ବାପାକୁ କହିବେ, ବାପା ଶୁଣିକରି ଭାରି ଖୁସିହେବେ, ଏଥିରେ ମୋର ସନ୍ଦେହ ନ ଥିଲା । ତଥାପି କି କଥା ପଡିବ ଶୁଣିବା ପାଇଁ ମନଟା ଟାଉଟାଉ ହେଲା । ଗୋଡ଼ ଚିପି ଚିପି କରି ଯାଇ କବାଟ ପାଖରେ କାନଡେରିଲି । ବାପା ମାଉସୀଙ୍କ କଥାଶୁଣି କହିଲେ, “ନାନା, ସେ ଦଶ ପନ୍ଦରଟା ଟଙ୍କା ପାଉଛି, ତା ସାଙ୍ଗରେ ମୋ ଝିଅକୁ ବିବାହ ଦେବି ନାହିଁ । ମୁଁ ବାଲେଶ୍ୱରରେ ମହାପ୍ରସାଦ ନିର୍ବନ୍ଧ କରି ଦେଇ ଆସିଛି । ପଅରିଦିନ ମଙ୍ଗଳକୃତ୍ୟ, କାଲିରାତିକୁ ଯିବା । ରାଘବ ବାବୁ ଜଣେ ବଡ଼ ଜମିଦାର । ନଗଦ ହଜାରେ ଟଙ୍କା ଆମକୁ ଦେବେ । ତା ଉପରେ ପୁଣି ସମୟ ଅସମୟ ଅଛି । ତାଙ୍କ ଆଗ ସ୍ତ୍ରୀଙ୍କର ବେତାଏ ସୁନା ଗହଣା ଅଛି । ମୁଁ ନିଜ ଆଖିରେ ଦେଖିକରି ଆସିଛି । ସବୁ ମୋ ରଜନୀ ପିନ୍ଧିବ । ରାଣୀ ହୋଇ ରହିବ । ଲକ୍ଷେ ପୋଇଲୀ ପରିବାରୀ ଦିନରାତି ଖଟିବେ । ଖଟ ଉପରୁ ତଳୁ ଓହ୍ଲାଇବ ନାହିଁ । ଜୋଇଁଙ୍କୁ ଟିକିଏ ବୟସ ହୋଇଯାଇଛି । ପଚାଶ ଖଣ୍ଡେ ହେବ । ଆଗ ଭାରିଜା ଆଡ଼ୁ ମୋହନ ବୋଲି ଗୋଟିଏ ପୁଅ ଅଛି । ତୁମେ ତ ଦେଖୁଛ, ଲଖିଆନ୍ନା ଚାରିକୋଡ଼ି ବର୍ଷରେ ପୁଣି ନୂଆ ସଂସାର କଲା । ଚାରି ପୁଅ ଦୁଇ ଝିଅ ହେଲେ । ସବୁ କର୍ମ । କର୍ମ ଛଡା ପଥ ନାହିଁ ।”

ମୁଁ ମନେ କରିଥିଲି, ମାଉସୀ ନିଶ୍ଚୟ ଆପତ୍ତି କରିବେ । ମାତ୍ର ସେ ଏ କଥା ଶୁଣି ଖୁସିରେ ଫୁଲିଗଲେ । ମୁଁ ଭାବିଲି, ଯାଇକରି ବାପାଙ୍କ ଗୋଡତଳେ ଲମ୍ୱ ହୋଇ ପଡ଼ିଯାଇ କହିବି, “ବାପା ! ମୋର ଧନ ଦଉଲତ ଦରକାର ନାହିଁ । ମୁଁ ସେହି ମାଷ୍ଟରଙ୍କୁ ବାହା ନ ହେଲେ ଜହର ଖାଇ ପ୍ରାଣ ହରାଇବି ।” ମାତ୍ର ମୋ ଗୋଡ ଦିଟାକୁ କିଏ ବାନ୍ଧି କରି ରଖିଲା ଓ ମୋ ପାଟି ଅଠା ଅଠା ହୋଇଗଲା । ଏହି ସମୟରେ ବାପା କଅଣ ତୁନି ତୁନି କରି କହିଲେ, ମତେ ଶୁଭିଲା ନାହିଁ । ମାଉସୀ ହସଟାଏ ହସି ଦେଇ କହିଲେ, “ତୁମପରି ଚଉଆଖିଆ ଲୋକ ଏ ବ୍ରହ୍ମାଣ୍ଡ ମଣ୍ଡଳରେ ମୁଁ ଦେଖିନାହିଁ ।” ବାପା ମୁହଁ ଧୋଇ ଦାଣ୍ଡ ଘରକୁ ଶୋଇବାକୁ ଗଲେ । ମାଉସୀ ଶୋଇବାକୁ ମୋ ପାଖକୁ ଆସିବ ବୋଲି ମୁଁ ଯାଇ ବିଛଣାରେ ଆଖିବୁଜି ପଡ଼ିଗଲି । ସେ ଆସି ନିଶ୍ଚିନ୍ତରେ ଶୋଇଲା । ମୋ ଆଖିକୁ ନିଦ ମାଡିବ କୁଆଡୁ । ଭାବିଲି, “ମାଷ୍ଟେରେ ତାଙ୍କ ସାଙ୍ଗରେ ପଳାଇ ଯିବା ପାଇଁ ଲେଖିଥିଲେ । ସେତେବେଳେ ମୁଁ ତ ହୁଡିଗଲି । ଏବେ କି ବୁଦ୍ଧି କରିବି ?” କ୍ରମେ କ୍ରମେ ରାତି ପାହିଲା । ବହୁ ଦିନପରେ ରୋଗଶଯ୍ୟାରୁ ଉଠିଲାପରି ଉଠି ଘର କାମ କଲି । ସବୁ ଦିନ ପରି ସୂର୍ଯ୍ୟ ଉଠିଲେ, ଫୁଲ ଫୁଟିଲା, ପବନ ବହିଲା । ରାସ୍ତାରେ ଗାଡ଼ି ଘୋଡ଼ା ଓ ଲୋକମାନଙ୍କର ସୁଅ ଚାଲିଲା । ମୋର ଏ ଘୋର ଦୁଃଖରେ କେହି “ଆହା” ବୋଲି ପଦେ କହିଲେ ନାହିଁ । ଟୁକମାଠାରେ ମୋର ଟିକିଏ ଆଶା ଥିଲା । ମାତ୍ର ସେ ଆସି ମାଉସୀକୁ ପଟାଏ ଶୋଧିଦେଇ ରାଗରେ ଚାଲିଗଲା ।

ବାପା ବଜାରକୁ ଯାଇ ଲୁଗାପଟା ଗାତନିଆଁ କେତେ କଅଣ କିଣି କରି ଆଣିଲେ । ମାଉସୀ ଜିନିଷପତ୍ର ସଜଡ଼ା ସଜଡ଼ି କରି ରଖାରଖି କଲେ । ବାପା ଖାଇ ବସିଲେ । ମାଉସୀ ସାଇ ଆଡ଼କୁ ଗଲେ । ଏ ସୁଯୋଗ ଦେଖି ମୁଁ ମନରେ ସମସ୍ତ ସାହସ ଏକତ୍ରିତ କରି ଲାଜ ସରମ ଛାଡ଼ି ବାପାଙ୍କ ପାଖରେ ବସିପଡି କାନ୍ଦିକରି କହିଲି, “ବାପା ! ମୁଁ ସେଠାରେ ବିଭା ହେବି ନାହିଁ । ତୁମ ଗୋଡ଼ତଳେ ପଡୁଛି । ମାଷ୍ଟରଙ୍କୁ ବିଭା ହେବି । ସେ ଟଙ୍କା ପାଇଁ ଗାଁକୁ ଯାଇଛନ୍ତି ।” ମୋ କଥା ଶେଷ ହେବାକୁ ନ ଦେଇ ବାପା କହିଲେ ଦୂର୍ ପାଗଲି ! ରାଣୀ ହୋଇ ବସିବୁଲୋ, ରାଣୀ ହୋଇ ବସିବୁ ! ଲକ୍ଷେ ଲୋକ ତୋ ହାତ ଟେକାକୁ ଅନାଇ ବସିବେ । ଘିଅରେ ଖାଇ ଦୁଧରେ ହାତ ଧୋଇବୁ । ଲକ୍ଷେଶ୍ୱରୀ ହୋଇ ବସିବୁ । ପିଲା ଲୋକ କିଛି ବୁଝିପାରୁ ନାହୁଁ ।” ଏହି ସମୟରେ ମାଉସୀ ଆସି ପହଞ୍ଚି ବୟାନ କଲା, “କି ଅଲାଜୁକ କାଳ ହୋଇଗଲା । ଆମ ପିଲାବେଳେ ବାହାଘର ନା ଶୁଣିଲେ ସାତ କଣରେ ଯାଇ ଲୁଚୁଥିଲୁ । ଆଜିକାଲି ଝିଅମାନେ ବାହାଘର କଥାରେ ବାପମାନଙ୍କ ସାଙ୍ଗରେ ଜବାବ ସୁଆଲ କରୁଛନ୍ତି । ଯାହା କହନ୍ତି କାଳ ଆସି ଲଟାରେ ପଶିଲା ।” ଗୋଷାଣୀ ଲାଗିଲା ପରି ଆଉ କେତେ କଅଣ କହି ଦେଇଗଲା । ମୋପାଟିରୁ ଆଉ କଥା ବାହାରିଲା ନାହିଁ । ହାଣ୍ଡିଶାଳକୁ ଗଲି । ବିକଳ ହୋଇ କେତେ କାନ୍ଦିଲି, କେତେ ଦିଅଁଦେବତାଙ୍କୁ ଡାକିଲି । ଛାଡ଼ ସେ କଥା ।

 

ସନ୍ଧ୍ୟାକୁ ସବିତା ଆସିଲା । ତାକୁ ଦେଖି କୋହ ସମ୍ଭାଳି ନ ପାରି ଭୋ ଭୋ ହୋଇ କାନ୍ଦି ଉଠିଲି । ସେ ବି କାନ୍ଦି ପକାଇଲା । ସେ ଗଲାବେଳେ କହିଲି, “ସବିତା, ମାଷ୍ଟରଙ୍କୁ କହିଦେବୁ, ଏ ଅଲକ୍ଷଣୀକୁ ପାଶୋରି ପକାଇବେ ।” ସବିତା ଚାଲିଗଲା । କେତେ କାନ୍ଦିଲି । ବହୁ ଦିନ ପରେ ଆଜି ବୋଉ କଥା ମନେ ପଡ଼ିଲା । ଭାବିଲି, “ବୋଉ ବଞ୍ଚିଥିଲେ ଆଜି ଏ କଥା ହୋଇ ନ ଥାଆନ୍ତା ।” ମାଷ୍ଟରଙ୍କ ପାଖକୁ ଚିଠି ଲେଖିବି ବୋଲି କାଗଜ ବାହାର କଲି, ମାତ୍ର ମୋ ହାତ ଚଳିଲା ନାହିଁ ।

ବାପା ପ୍ରାୟ ରାତି ଆଠଟାବେଳେ ଗୋଟାଏ ଘୋଡ଼ାଗାଡ଼ି ଡାକି ଆଣିଲେ । ଆଗରୁ ସବୁ ବନ୍ଧାବନ୍ଧି ହୋଇଥିଲା । ମାଉସୀ ଓ ବାପା ଖାଇଲେ । ମୁଁ ଭାତ ପତରରେ ବସିଲି ମାତ୍ର । ଜିନିଷପତ୍ର ଗାଡ଼ିରେ ଲଦା ହେଲା । ବାପା ଆସି ମତେ ଓ ମାଉସୀଙ୍କୁ ଘେନି ବଗି ପାଖକୁ ଆସିଲେ । ଆଜି ବାପାଙ୍କ ଆଖି ନାଲ୍ ନାଲ୍ ହୋଇଛି । ରାତି ଅନିଦ୍ରା ହେବେ ବୋଲି ଗୁଲିର ମାତ୍ରା ଟିକିଏ ବଢ଼ାଇ ଦେଇଛନ୍ତି । କେଉଁଦିନ ଗୋଟିଏ ଗପ ପଢ଼ିଥିଲି । ଜଣେ କାପାଳୀକ, ମଦ ପିଇ, ଗୋଟିଏ ନହୁଲି ଯୁବତୀକୁ କାଳୀଙ୍କ ଆଗରେ ବଳୀ ଦେବ ବୋଲି ଘେନି ଯାଉଥିଲା । ମୋର ଆଜି ସେହି ଚିତ୍ର ମନେ ପଡ଼ିଲା ଓ ତାଳୁଠାରୁ ତଳିପା ପର୍ଯ୍ୟନ୍ତ ଥରି ଉଠିଲା । ନିରୀହ ଛାଗ ଶିଶୁପରି ନିର୍ବିବାଦରେ ଯୂପକାଷ୍ଠ ନିକଟକୁ ଚାଲିଲି । ଗାଡ଼ିରେ ବସିଲୁ, ଷ୍ଟେଶନରେ ଓହ୍ଲାଇ ପୁଣି ଯାଇଁ ରେଳରେ ବସିଲୁ । କେତେ ଥର ଇଚ୍ଛା ହେଲା, ରେଳରୁ ଡେଇଁ ପଡ଼ି ଜୀବନ ଖରଚ କରିଦେବି, ମାତ୍ର ପାରିଲି ନାହିଁ । ମୋର କୋରକିତ ବକ୍ଷଦେଶ ମନ୍ଥନ କରି, ଏ ସମାଜ ବିରୁଦ୍ଧରେ ଉଠିଲା ଏକ ଉତପ୍ତ ଦୀର୍ଘ ନିଶ୍ୱାସ । ମାତ୍ର ଏ ଦୀର୍ଘ ନିଶ୍ୱାସର ଜ୍ୱାଳାମୟ ତୀବ୍ରତା, ଏ ଦୁନିଆରେ କେହି ବୁଝିଲା ନାହିଁ । ସକାଳ ହେଲା, ବାଲେଶ୍ୱର ଷ୍ଟେଶନରେ ଓହ୍ଲାଇଲୁ । ବଳଦ ଗାଡି ଓ ସବାରୀ ଆସିଥିଲା । ବାପା ଓ ମାଉସୀ ବଳଦ ଗାଡ଼ିରେ ବସିଲେ, ମୁଁ ସବାରୀରେ ବସିଲି । ଶଙ୍ଖ ବାଜିଲା । ଶବ ଆଗରେ ଭେରେଣ୍ଡାର ରଡିପରି ତାହା ମୋ କାନକୁ ଶୁଣାଗଲା । ପ୍ରାୟ ଦଶଟା ବେଳକୁ ଯାଇଁ ସେଠାରେ ପହଞ୍ଚିଲୁ । ପରେ ଶୁଣିଲି, ସେ ନିଆଁ ଦରପୋଡା ଗାଁଟା ନା ପଦ୍ମପୋଖରୀ । କେତେଗୁଡିଏ ମାଇପେ ଆସି ହୁଳହୁଳୀ ପକାଇ ମତେ ଘର ଭିତରକୁ ଘେନି ଗଲେ । ସେଦିନ ମଙ୍ଗଳ କୃତ୍ୟ । ବାଜା ବାଜିଲା, ନାନାଦି ଆନନ୍ଦ ଉତ୍ସବ ଲାଗିଲା । ତହିଁ ଆରଦିନ ବାହାଘର ହେଲା । ଯାହାର ଆଗମନରେ “ଏତେ ବାଜଣା, ଏତେ ଆନନ୍ଦ ଉତ୍ସବ” ତାର ହୃଦୟ ମଧ୍ୟରେ କିପରି ଭୀଷଣ ଝଡ଼ ବହୁଥିଲା କେବଳ ସେହି ଅନ୍ତର୍ଯ୍ୟାମୀହିଁ ଜାଣନ୍ତି ।

 

ନେପଥ୍ୟେ- ଲେଖିକାର ବିନା ଅନୁମତିରେ ତାର ଲେଖା ପଢ଼ିବା ବଡ଼ ଅନ୍ୟାୟ ।

ଏହାକୁ ବିଦାୟ ସଙ୍କେତ ବୋଲି ବୁଝି ହୋଟେଲକୁ ବାହାରିଲି ।

 

ସପ୍ତମ ସନ୍ଧ୍ୟା

ଦୀପ ଲାଗିଲା ବେଳକୁ ପହଞ୍ଚିଲି । ଅନେକ ପ୍ରକାରର ଦାକ୍ଷିଣାତ୍ୟ ଖାଦ୍ୟ । ନା ସବୁ ପଚାରିଲି । ମିଆଁ ସାହେବ ଗୋଟି ଗୋଟି କରି ନା କହିଲେ । ମାତ୍ର ମୋର କିଛି ମନେ ରହିଲା ନାହିଁ । ତେବେ ଉପମା, ପାଲୁ, ଦୋଷୀ କି ନିର୍ଦୋଷୀ, ଏହିପରି ଆଉ କେତେ କଅଣ ।

 

ଖାଇକରି ଦାଣ୍ଡ ଘରେ ବସିଲୁ । ମିଆଁ ସାହେବ ଖାତା ଫିଟାଇ ଆରମ୍ଭ କଲେ:-

 

ମୋ ଦେହରେ ବୋଝେ ଅଳଙ୍କାର ଖଞ୍ଜା ହେଲା, ମାତ୍ର ମତେ ଜଣାଗଲା, କିଏ ଯେପରି ଲୁହା ବେଢ଼ୀକୁ ତତାଇ କରି ମୋ ଦେହରେ ବେଢ଼ାଇ ଦେଉଛି । ଉପବାସ, ମନସ୍ତାପ ଓ ନିରାଶାରେ ମୁଁ ଏକ ପ୍ରକାର ଭାଙ୍ଗି ପଡ଼ିଥିଲି । ରାତି ପହରେ କି ପାଞ୍ଚଘଡି ହେବ, ଜଣେ ଦାସୀ ମତେ ସାଙ୍ଗରେ ନେଇ ଗୋଟିଏ ଘର ଖଟ ଉପରେ ଶୁଆଇ ଦେଇ, ତଳେ ଖଣ୍ଡିଏ ମଶିଣା ପକାଇ ଶୋଇଲା । କେତେ କଥା ଭାବି ଭାବି ମତେ କେତେବେଳେ ନିଦ ହୋଇଗଲା । ମୋର ବାଁ କାନ୍ଧରେ ଗୋଟାଏ ରୁକ୍ଷସ୍ପର୍ଶ ଅନୁଭବ କରି ନିଦଟା ଚଟ୍ କରି ଭାଙ୍ଗିଗଲା ଓ ମୋ ଦେହ ଥରି ଉଠିଲା । ଦେଖିଲି ଗୋଟିଏ କୁତ୍ସିତଦର୍ଶନ ବୃଦ୍ଧ ମୋ କାନ୍ଧରେ ହାତ ରଖି ମୋ ମୁହଁକୁ ଏକା ଲୟରେ ଅନାଇ ରହିଛି । ମୁଁ କଅଣ କରିବି କଅଣ ବା କହିବି, କିଛି ସ୍ଥିର କରି ପାରିଲି ନାହିଁ ।

 

ବୃଦ୍ଧ-ଦେହଟା ବୋଧହୁଏ ଭଲ ଲାଗୁ ନାହିଁ ?

 

ମୁଁ କିଛି ନ କହି ଦେହରେ ମୁଣ୍ଡରେ ଭଲ କରି ଲୁଗା ଦେଇ କାନ୍ଥ ଆଡ଼କୁ ମୁହଁ କରି ଘୁଞ୍ଚିକରି ଶୋଇଲି । ମାତ୍ର ସେ ଅଲକ୍ଷଣା ବୁଢ଼ାଟା ପୁଣି ମୋ ପାଖକୁ ଲାଗି ଆସି କହିଲା,- “ପିଠି ଟିକିଏ ଆଉଁଷି ଦିଏଁ । ମନ ହେଲା କହିଦେବି-“ମତେ ଆଉଁଷିବୁ କଅଣ ?” ଯମ ଯେ ଆସି ତୋ ପିଠି ଆଉଁଷିଲାଣି ।” ମାତ୍ର ତୁଣ୍ଡରୁ କଥା ବାହାରିଲା ନାହିଁ । ବୁଢ଼ା ମୋ ପାଖରେ ଆହୁରି ଖୁନ୍ଦି ହୋଇ ବସିବାରୁ ମତେ ଭାରି ଚିଡ଼ି ମାଡ଼ିଲା । ମୁଁ ରାଗରେ ଉଠିକରି କବାଟ ଫିଟାଇ ପଦାକୁ ଯିବାକୁ ବାହାରିଲି । ବୁଢ଼ା ମୋ ପଛେ ପଛେ ଯାଇଁକରି କହିଲା, “ଥାଉ ଥାଉ, ମୁଁ ଆଉ ତୁମ ସାଙ୍ଗରେ ଲାଗିବି ନାହିଁ । ଟିକିଏ ଶୋଇପଡ଼ ।” ମୁଁ ଫେରି ଆସି ତଳ ମଶିଣାରେ ବସିଲି । ବୁଢ଼ା ଖଟ ଉପରେ ଶୋଇଲା । ମୁଁ ସେହିପରି ଏକା ସଜରେ ବସିଥାଏ, ବୁଢ଼ା ମଧ୍ୟେ ମଧ୍ୟେ ଉଠି “ଟିକିଏ ଶୋଇପଡ଼, ଦେହ ଖରାପ ହେବ” ବୋଲି କହି ପୁଣି ଶୋଇପଡ଼େ ।

 

ସେଠାରେ ବସି ବସି କେତେ ଆକାଶ-ପାତାଳ ଭାବିଲି । ଧବଳେଶ୍ୱରଙ୍କ ଦେଉଳ ଭିତରେ ସେଦିନ ସେ ପ୍ରାଣ ଉଚ୍ଛୁଳା ଆଲିଙ୍ଗନ ଓ ଆଦର ଓ ଆଜିର ଏ ବିଭତ୍ସ ଅଭିନୟ ମଧ୍ୟରେ କେତେ ପ୍ରଭେଦ । ମାଷ୍ଟେରେ ଗାଁରୁ ଫେରି ଏ କଥାସବୁ ଶୁଣି କଅଣ ଭାବିଥିବେ, କଅଣ କରିଥିବେ ? କୁଆ କୋଇଲି ରାବିବା ପୂର୍ବରୁ ସେ ଘରୁ ବାହାରି ଆସିଲି ।

ସାତମଙ୍ଗଳା ଗଲା । ଆଠମଙ୍ଗଳା ଦିନ ସ୍ୱାମୀ ଘରେ ମୋ ମୁହଁ କେହି ଚାହିଁବେ ନାହିଁ । ସୁନ୍ଦରା ଫାଟିବା ପୂର୍ବରୁ, ମୁଁ ବାପା ଓ ମାଉସୀ ଯାଇଁକରି ସେହି ଗ୍ରାମରେ ଜଣକ ଘରେ ରହିଲୁ । ସେଠାରେ ଦୁଇଦିନ ରହିବା ପରେ ସନ୍ଧ୍ୟାକୁ ସବାରୀରେ ବସିକରି ପୁଣି ସେହି ଯମ ପୁରୀକୁ ଅଇଲି । ସେଦିନ ମୋର ପୁଆଣୀ ଘର ବୋଲି ଶୁଣିଲି । ସେ ଖଣ୍ଡିଆ ବୁଢ଼ାଟା ଆସି ମୋ ପାଖରେ ବସିଲା । କର୍ମ ବୋଲା ହେଲା । ହୋମ ହେଲା । ମନ ହେଉଥାଏ ହନୁମାନ ଲଙ୍କା ପୋଡ଼ିଲାପରି ଏ ହୋମ ନିଆଁରେ ଏ ପୁର ଭସ୍ମକରି ସାତ ସମୁଦ୍ର ଡ଼େଇଁ କୁଆଡ଼େ ପଳାଇ ଯାଆନ୍ତି । ପୋଡ଼ପାଡ଼ କର୍ମ ସରିଲା । ଖିଆପିଆ ଲାଗିଲା । ପ୍ରାୟ ରାତି ବାରଟା ହେବ । ଦୁଇଜଣ ମାଇପେ ମତେ ଝିଙ୍କି ଓଟାରି କରି ନେଇ ପୂର୍ବର ସେ ଶୋଇଲା ଘର ଭିତରକୁ ପେଲି ଦେଇ ପଦା ପାଖରୁ ଶିକୁଳି ଲଗାଇ ନେଲେ । ମୁଁ ଖଟ ଉପରକୁ ଚାହେଁ ତ ସେ ମାଙ୍କଡ଼ ବୁଢ଼ା ଖଟ ଉପରୁ ଓହ୍ଲାଇ କରି ହସ ହସ ମୁହଁରେ ମୋ ଆଡ଼କୁ ଝପଟିଆସୁଛି । ସେ ପାକୁଆ ପାଟିକୁ ସେ ହସ ! ଭାରି ଅସନା ଦିଶୁଥାଏ । ମତେ କିଛି ବୁଦ୍ଧି ବାଟ ଦିଶିଲା ନାହିଁ । ବିକଳରେ ସେ କବାଟକୁ ଟାଣିଲି । ବୁଢ଼ା ମତେ ପଛଆଡ଼ୁଆ କରି କୁଣ୍ଢାଇ ପକାଇଲା । କ୍ଷତଦୁଷ୍ଟ କୁକୁରର ଆଲିଙ୍ଗନ ବୋଧହୁଏ, ଏହାଠାରୁ ବଳିକରି ଘୃଣ୍ୟ ଓ ପୀଡ଼ାଦାୟକ ହୋଇ ନଥିବ ? ମୁଁ ତାକୁ ପଛଆଡ଼ୁଆ କରି ପେଲି ଦେଲି । ବୁଢ଼ା ଗାଣ୍ଡିମାଡି ହୋଇ ପଡ଼ିଲା, ଉଠି କରି ମତେ କେତେ କାକୁତି ମିନତି ହୋଇ କହିଲା, ତା କଥା ଶୁଣି ମୋ କାନରେ କିଏ ନିଆଁ ଖୁଣ୍ଟା ଗେଞ୍ଜି ଦେଲା ପରି ଲାଗିଲା, ମୁଁ କିଛି ନ କହି ଓଢଣାଟି ଭଲ କରି ଦେଇ ସେହି କବାଟ ପାଖରେ ବସି ରହିଲି । ବୁଢା ଯାଇ କରି ଖଟ ଉପରେ ବସିଲା । ମୁଁ ସ୍ୱସ୍ତିର ନିଶ୍ୱାସ ମାଇଲି । ଟିକିଏ ଯାଇଛି କି ନାହିଁ, ଭୂତ ଲାଗିଲା ପରି ଖଟ ଉପରୁ ଉଠି ଆସି ମୋ ଆଗରେ ବସି ଯାଇଁ ସଙ୍ଗୀତ ପିଲା ପାରିଜା କଲା ପରି ଅଭିନୟ ଆରମ୍ଭ କଲା । ମୋ ହାଡ ଜଳି ଉଠିଲା । ଏଥର ବି ବୁଢ଼ାକୁ ପେଲି ଦେଲି । ମୋ ହାତ ଖଡ଼ୁଟା ବୁଢା ଛାତିରେ ବସିଗଲା । ସେ ରାଗି ଯାଇ କରି କହିଲା- “କୋଳି ମଞ୍ଜି ପରି ହଜାରେ ଟଙ୍କା ଗଣି ଦେଇ କିଣିକରି ଆଣିଛି, ତହିଁରେ ପୁଣି ଏ ଚାତର ।” ଏ କଥା ଶୁଣି ମୋ ମନ ଭିତରେ ନିଆଁ ଲାଗିଗଲା । ରାଗରେ କହି ପକାଇଲି, “ହଜାରେ ଟଙ୍କା ଦେଇ କରି ସିନା ମୋ ଦେହଟାକୁ କିଣିଛୁ, ମାତ୍ର ତୋର ସମସ୍ତ ସମ୍ପତି ଦେଲେ ବି ମୋ ମନକୁ ଏକ ମୁହୂର୍ତ୍ତ ପାଇଁ ସୁଦ୍ଧା କିଣି ପାରିବୁ ନାହିଁ ।” ମୋର ଏପରି ତୁ ତାକର କଥା ଶୁଣି ବୁଢ଼ା ରାଗରେ ଗୋଟିପଣେ ପାଚିଯାଇ କହିଲା, “ବାରବୁଲି ଛତରଖାଇ ! ଛତରରେ ଖାଇବା ଲୋକ, ରାଜରାଣୀ ହୋଇ ରହିବୁ କୁଆଡ଼ୁ ? ଅଭି ମୋ ଘରୁ ନିକଲ୍ !” ମୁଁ ଏକଥା ଶୁଣି ରାଗରେ କମ୍ପି ଉଠି ଠିଆ ହୋଇ କବାଟକୁ ଟାଣିଲି । ଏଥର କବାଟ ମେଲା ହୋଇଗଲା । ମୁଁ ପଦାକୁ ବାହାରି ବାଡି ଦୁଆର ମେଲା କରି ଗଡିଆ କୂଳରେ ଯାଇ କରି ପହଞ୍ଚିଲି । କହିଲି “ମାଷ୍ଚେରେ ଏ ଜୀବନରେ ତୁମକୁ ଥରେ ଦେଖିବି ବୋଲି ବଡ଼ ଆଶାଥିଲା, ମାତ୍ର ତା ହୋଇ ପାରିଲା ନାହିଁ ।” ପୋଖରୀ ପାଣିକୁ ଡେଇଁ ପଡ଼ିଲି ।

 

ଯେତେବେଳେ ମୋର ଚେତା ହେଲା, ମତେ ସବୁ ସପନ ଦେଖିଲା ପରି ଲାଗିଲା । କ୍ରମେ କ୍ରମେ ଗତ ରାତ୍ରର ସମସ୍ତ କଥା ମନେ ପଡ଼ିଲା । ଦେଖିଲି କେତେ ଗୁଡ଼ିଏ ମାଇପେ ବସି ମୋ ଦିହ ମୁଣ୍ଡ ଆଉଁଷୁଛନ୍ତି । ମୁଁ ଧୀରେ ଧୀରେ ଉଠି କରି ବସିଲି । ଲୁଗା ପାଲଟିଲି । ସେମାନେ ଭାତ ଆଣି ସେହିଠାରେ ବାଢିଲେ । ଉଠି କରି ଗୁଣ୍ଡାଏ ଖଣ୍ଡେ ଖାଇଲି । ପୁଣି ବିଛଣା ଧଇଲି । ଉଠିଲା ବେଳକୁ ଗଛ ପତ୍ରରେ ଖରା ଥାଏ । ସେ ଦିନ ରାତିକୁ ବାପା ଓ ମାଉସୀ କଟକ ବାହାରିଲେ । ମାଉସୀ ମତେ ଅନେକ ପ୍ରକାର ବୋଧଶୋଧ କରି ବିଦାୟ ନେଲେ ।

ସେହି ଦିନଠାରୁ ମୁଁ ମଝି ଘରେ ଶୋଭୀ (ଦାସୀ) ପାଖରେ ରାତିରେ ଶୋଇଲି । ବୁଢ଼ା ଖାଇବାକୁ ଆସେ । ମୁଁ ବଢ଼ା ବଢ଼ି କରି ଦିଏ । ରଙ୍ଗିଆ (ପୂଜାରି ଟୋକା) ନେଇ ତା ପାଖରେ ଥୋଇ ଦିଏ । ବୁଢ଼ା ଖାଇ କରି ଚାଲିଯାଏ । ଦିନେ ବୁଢ଼ା ଶୋଭୀକୁ କଅଣ ତୁନି ତୁନି କରି କହିଲା । ଶୋଭୀ କହିଲା, “ତାତିଲା ଜାଉକୁ ଶୀତଳାଇ କରି ଖାଆନ୍ତି ସିନା ! ନୂଆ ହୋଇ ଧରା ହୋଇଛି, ଦିନା କେତେ ଗଲେ ବଳେ ପୋଷା ମାନିଯିବ ଯେ ।”

 

ମୁଁ ମନେ ମନେ କହିଲି, “ଅବର୍ଯ୍ୟା, ପରପଞ୍ଚ ବୁଢ଼ା, ତୁ ଜାଉ ଶୀତଳାଇ କରି ଖାଇବା ପୂର୍ବରୁ ବ୍ରାହ୍ମଣମାନେ ଆସି ତୋ ଉତ୍ତରଷୋଡ଼ଶ କର୍ମ୍ମରେ ଜାଉ ଖାଇ କରି ଯିବେ ।”

 

ଏହାର ଦୁଇ ଦିନ ପରେ ମୋହନ ( ମୋ ସଉତୁଣୀ ପୁଅ ) ଆସି ପହଞ୍ଚିଲେ । ବାପ ବିଭାଘର ଦେଖନ୍ତି ନାହିଁ ବୋଲି ସେ ମାମୁ ଘରକୁ ଯାଇଥିଲେ । ତାଙ୍କୁ ପ୍ରାୟ ଅଠର, ଉଣେଇଶ ବର୍ଷ ହେବ । ସୁନ୍ଦର ନ ହେଲେ ମଧ୍ୟ ଅସୁନ୍ଦର ନୁହନ୍ତି । ହାଣ୍ଡିଶାଳ ଘର ଭିତରକୁ ପଶି ଆସି ମତେ ନମସ୍କାର କଲେ । ମୁଁ ଟିକିଏ ଆଡ଼ ହୋଇଗଲି । ଯେତେ ହେଲେ ଭେଣ୍ଡା ପୁଅ ନା । ବେଳେ ବେଳେ ମୋହନ କେହି ନ ଥିଲାବେଳେ ହାଣ୍ଡିଶାଳ ଘରକୁ ପଶି ଆସି ମୋ ଆଡ଼କୁ ଚାହିଁ ହସି ଦିଅନ୍ତି । ମୁଁ ଟିକିଏ ଆଡ଼ ହେଲାରୁ କହନ୍ତି, “ପୁଅକୁ ଲୁଚିଲେ ଚଳିବ କିପରି ?” ମାତ୍ର ମୁଁ ଆଡ଼ ଆଡ ହେଉଥାଏ ।

 

ଦୁଇ ଚାରି ଦିନ ପରେ କଅଣ ଗୋଟାଏ କଥାରେ ବାପ ପୁଅ ମଧ୍ୟରେ ଘମାଘୋଟ କଳିକଜିଆ ଲାଗିଲା । ଯେଉଁ ଗାଳି ଦିଆ ଦେଇ ହେଲେ, କାନରେ ଶୁଣିବା କଥା ନୁହେଁ । ଶୁଣିଲି, ବାପ ପୁଅ ମଧ୍ୟରେ ଏଇଟା କିଛି ନୂଆ କଥା ନୁହେଁ ।

 

ଏହାର ଦୁଇ ଚାରି ଦିନ ପରେ ମୁଁ ମଝିଘରେ ଶୋଭୀ ପାଖରେ ନିଦରେ ଶୋଇଛି, ମୋ ଦେହରେ କାହାରି କରୁଣ ସ୍ପର୍ଶ ଅନୁଭବ କଲି । ଘରଟା ଅନ୍ଧାର । ହଠାତ୍ ଚମକି ପଡ଼ି ପଚାରିଲି, “କିଏ ସେ ।” କିଏ ତୁନି ତୁନି କରି କହିଲା, “ପାଟି କରନା, ମୁଁ ମୋହନ ।” ଏକଥା ଶୁଣି କ୍ରୋଧ ଓ ଦୁଃଖରେ କହିଲି, “ମୋହନ, ତୁମକୁ ଏ ବୁଦ୍ଧି କିଏ ଦେଲା । ମୁଁ ପରା ତୁମ ବୋଉ । ଛି ଛି ଏ କି ଅଧର୍ମ୍ମ କଥା କହୁଛ । ଚଞ୍ଚଳ ଯାଉଛ ନା ପାଟି କରିବି ।” ମୋହନ ପୁଣି ତୁନି ତୁନି କରି କହିଲା- “ବାପା ତ ଆଉ ଅଳ୍ପ ଦିନରେ ମରିବେ । ମୁଁ ତୁମର ପୋଷା କୁକୁର ହୋଇ ରହିବି । ମତେ ନିରାଶ କର ନା । ତୁମକୁ ଦେଖିଲା ଦିନୁ ମୁଁ ଦାନା ପାଣି ଛାଡ଼ିଲିଣି । ତୁମେ ଦୟା ନ କଲେ ମୁଁ ନିଶ୍ଚୟ ପ୍ରାଣ ହରାଇବି ।” ଆଉ କଅଣ କହିବେ ବୋଲି ଯାଉଥିଲେ । ମୁଁ ପାଟି କଲାରୁ ପଳେଇଲେ । ମୁଁ ଶୋଭୀକୁ ଉଠାଇ ସବୁ କଥା କହିଲି । ତା କଥା ଶୁଣି, ଏ ସବୁ ମୂଳରେ ଯେ ଶୋଭୀ ଅଛି, ମୋର ଏଥିରେ ଆଉ ସନ୍ଦେହ ରହିଲା ନାହିଁ । ମୋ କଥା ଶୁଣି ସେ କହିଲା, “ଦିଅ ମା ! ତୁନି ହୁଅ । ପିଲା ବୁଦ୍ଧିତ । ଏକଥା କାହା ଆଗରେ ପ୍ରଘଟ କରିବ ନାହିଁ । ଏ ଗାଁ କଥା ତ ଜାଣିଛ । ତିଳକୁ ତାଳ କରିବେ । ଦାଣ୍ଡରେ ହାଟ ବସାଇବେ । କଅଣ କରିବି କର୍ମ୍ମକୁ ଆଦରି ରହିଲି । ”

ଏଲ, ଏସ୍ , ଯି. ରୁ (L.S.G) କୌଣସି ଅଡ଼ର । ଆସିବା ପୂର୍ବରୁ ମିଆଁ ସାହେବ ଖାତା ବନ୍ଦ କରି ଉଠିଲେ ମୁଁ ମଧ୍ୟ ହୋଟେଲକୁ ଫେରିଲି ।

 

ଅଷ୍ଟମ ସନ୍ଧ୍ୟା

ଆଜି ଚୂଡ଼ା, ଆମ୍ୱ । ତା ସାଙ୍ଗକୁ ସପୁରୀକୁ ଖୁବ୍ ପତଳା ଓ ଟିକି ଟିକି କରି କାଟି ତହିଁରେ ଲୁଣ ଓ ମରିଚ ଗୁଣ୍ଡା ଦେଇ ଏକ ପ୍ରକାର ଅତି ରୁଚିକର ଖାଦ୍ୟ କରାଯାଇଛି । ମୁଁ ଏହି ସପୁରୀ ଚଟଣୀକୁ ସବୁତକ ଖାଇ ଦେବାରୁ, ରଜିଆ ବେଗମ୍ ଆଉ ଥରେ ଆଣି ତହିଁରୁ ଟିକିଏ ବହୁତ କରି ମୋ ପତରରେ ଦେଇଗଲେ । ଖାଇ କରି ଦାଣ୍ଡ ଘରେ ବସିଲୁ, ମିଆଁ ସାହେବ ଖାତା ଫିଟାଇ ଆରମ୍ଭ କଲେ:-

 

ଏହାର ଦୁଇ ଚାରି ଦିନ ପରେ ଦିନେ ମୋହନ ଆସି ମୋ ପାଖରେ କ୍ଷମା ପ୍ରାର୍ଥନା କଲେ । ମୋ ମନଟା ମଧ୍ୟ ତାଙ୍କ ପ୍ରତି ଟିକିଏ ନରମି ଗଲା । ତଥାପି ତାଙ୍କ ପାଖରୁ ଦୂର ଛଡ଼ା ହୋଇ ଚଳୁଥାଏ ।

 

ଏହାର କିଛି ଦିନ ପରେ ବୁଢାକୁ ଧଇଁ ପେଲିଲା । ଦିନ ଏଗାରଟା ବେଳ, ମୋହନ ଆସି ଖାଇ ବସିଲେ । ଶୋଭୀ ଦୁଆତ କଲମ କାଗଜ ଆଣି କହିଲା, “ସାନ ସାଆନ୍ତେ ! ଡାକ୍ତର ବାବୁଙ୍କ ପାଖକୁ କଅଣ ଲେଖିଦିଅ । ବେଳ ଉଛୁର ହୋଇଯାଉଛି । ବୁଢା ସାଆନ୍ତଙ୍କପାଇଁ ଓଷୁଅ ଆସିବ ପରା ?”

 

ମୋହନ- ଆରେ ମୁଁ ତ ଭାତ ଥାଳିରେ ବସି ଗଲିଣି । ଆଚ୍ଛା, ମୁଁ କହି ଦେଉଛି, ବୋଉଁଙ୍କୁ କହ ଲେଖି ଦିଅନ୍ତୁ ।

ଏ କଥା ଶୁଣି ମତେ ଭଲ କରି ଲେଖି ଆସିବ ନାହିଁ ବୋଲି ମନା କଲି, ମାତ୍ର ଶୋଭୀ ଓ ମୋହନ ଧୁମ୍ ଲଗାଇବାରୁ ଲେଖିଲି । ମୋହନ ଡ଼ାକି ଦେଲେ ।

ପଦ୍ମପୋଖରୀ

ପ୍ରିୟ ଡାକ୍ତରବାବୁ !

 

ଆପଣଙ୍କ କଥା ମୁତାବକ ଏ ପାଞ୍ଚଶହ ଟଙ୍କା ପଠାଇଲି । ଏହା ହାତରେ ପୋଟାଶ ଶାଇନାଇଟ୍ ଆଚ୍ଛା କରି ପାନେ ପଠାଇବ । ଏ ମୋର ଭାରି ବିଶ୍ୱାସୀ ଲୋକ । କିଛି ସନ୍ଦେହ କରିବ ନାହିଁ । ମୁଁ କଟକ ଗଲେ ଦେଖା ହେବ । ସତେ ଇଶ୍ୱର କରିବେ, ଆମ୍ଭମାନଙ୍କର ମନବାଞ୍ଚା ପୂରଣ ହେବ । ସାଙ୍ଗ ହୋଇ ସୁଖରେ ଦିନ କଟାଇବା । ଇତି ।

ଆପଣଙ୍କର

ମୁଁ

ମୁଁ ଚିଠି ଖଣ୍ଡିକ ଲେଖିଦେଇ ଶୋଭୀ ହାତକୁ ବଢ଼ାଇ ଦେଲି । ସେ ନେଇ ମୋହନଙ୍କ ପାଖରେ ଦେଖାଇଲା । ସେ ଦେଖିକରି କହିଲେ, “ଲେଖି ଆସିବ ନାହିଁ ବୋଲି କଅଣ କହୁଥିଲ । ଖୁବ୍ ଭଲ ହୋଇଛି ।”

 

ଶୋଭୀ ଚିଠି ଖଣ୍ଡିକ ଘେନି ଚାଲିଗଲା ।

ବୁଢ଼ାକୁ ଭାରି ଜୋରରେ ଶ୍ୱାସ ଧଇଲା । ବାଲେଶ୍ୱରରୁ ଜଣେ ଡାକ୍ତର ଆସି “ଆମ ଘରେ” ରହି ତାଙ୍କୁ ଚିକିତ୍ସା କଲେ ।

 

ପ୍ରାୟ ରାତି ଦଶଟା ହେବ । ଶୋଭୀ ଆସି କରି କହିଲା, “ସାଆନ୍ତାଣି ! ବୁଢ଼ା ସାଆନ୍ତ ଏତେ ଅବସ୍ଥା ହୋଇ ପଡ଼ିଛନ୍ତି, ତୁମେ ଟିକିଏ ସେ ଘରକୁ ହୁତା ଦେଉ ନାହଁ ? ଯେତେ ହେଲେ ତ ହାତ ଧରି କରି ବାହା ହୋଇଛ ।” ମନେ ମନେ କହିଲି, “ସେଉଟା ମୋର ନିଆଁ ନା ଗାତ ।” ତଥାପି ଶୋଭୀ ସାଙ୍ଗରେ ସେ ଘରକୁ ଗଲି । ବୁଢ଼ା ଖଟ ଉପରେ ଦୁଇଟା ବଡ ମାଣ୍ଡି ପିଠିକୁ ଦେଇ ଆଉଜି କରି ବସିଛି । କଣ୍ଠ ବୀଣାପରି ବାଜୁଛି । ମୁଁ ଓ ଶୋଭୀ ଯାଇ ପାଖରେ ଠିଆ ହେଲୁ । ବୁଢ଼ା ଆଖି ବୁଜି ଥାଏ । ଓଷଦ ପାନେ ଖାଇବ ବୋଲି ଶୋଭୀ ପଚାରିଲାରୁ ବୁଢ଼ା ସେହିପରି ଆଖି ବୁଜି ମୁଣ୍ଡ ଟୁଙ୍ଗାରି ଦେଲା । ଟେବୁଲ ଉପରେ ଓଷଦ ଶିଶି ଓ କାଚ ଗିଲାସ ଥିଲା । ଶୋଭୀ ପାନେ ଓଷଦ କାଚ ଗିଲାସରେ ଢ଼ାଳିଲା । ଏହି ସମୟରେ ମୋହନ ସେ ଘରକୁ ଆସି ଶୋଭୀ ହାତରେ ଗୋଟିଏ କାଗଜ ପୁଡ଼ିଆ ଦେଇଗଲେ । ଶୋଭୀ ସେ ପୁଡିଆରୁ କଅଣ ବାହାର କରି ସେ ଓଷଦ ଗିଲାସରେ ପକାଇ, ଗିଲାସକୁ ଭଲ କରି ଚହଲାଇ ମୋ ହାତକୁ ଦେଇ କରି କହିଲା, ବୁଢ଼ା ସାଆନ୍ତଙ୍କୁ ପେଇ ଦିଅ । ମୋର ଇଚ୍ଛା ନ ଥିଲେ ମଧ୍ୟ ଶୋଭୀ କଥାରେ ବାଧ୍ୟ ହୋଇ ଓଷଦ ଗିଲାସକୁ ବୁଢାର ପାଟି ପାଖରେ ଧଇଲି । ଏହି ସମୟରେ ଡାକ୍ତର ଓ ମୋହନ ଆସି ଦୁଆର ମୁହଁରେ ଠିଆ ହେଲେ । ଶୋଭୀ ଡାକିଲା- “ସାଆନ୍ତେ ଆଁ କରିଦିଅ, ନୂଆ ସାଆନ୍ତାଣୀ ପରା ଓଷଦ ଦେଉଛନ୍ତି । ବୁଢା ଆଖି ଫିଟାଇ ମୋ ମୁହଁକୁ ଟିକିଏ ଅନାଇ ଦେଇ ଆଁ କରିଦେଲା । ମୁଁ ତା ପାଟିରେ ଓଷଦ ଢ଼ାଳି ଦେଲି । ସେ ମୁହଁଟାକୁ ବ୍ରିକଟାଳ କରି ଓଷଦତକ ଏକା ଢ଼ୋକରେ ପିଇ ଦେଲା । ସାଙ୍ଗେ ସାଙ୍ଗେ ଗଛକାଟିଲା ପରି ଖଟ ଉପରେ ମୁହଁମାଡ଼଼ି ପଡ଼ିଯାଇ ବାଡେଇ ପିଟି ହେଲା । ଡାକ୍ତରବାବୁ, ମୋହନ ଓ ଶୋଭୀ “କଅଣ ହେଲା, କଅଣ ହେଲା” ବୋଲି ସମସ୍ୱରରେ କହି ବୁଢ଼ାକୁ ଧରାଧରି କରି ଛିଞ୍ଚାବିଞ୍ଚା କଲେ । ମୁଁ ସେ ଘରୁ ଚାଲି ଆସିଲି । ଏହି ସମୟରେ ମୋହନ, ଶୋଭୀ ଓ ଅନ୍ୟମାନେ କାନ୍ଦି ଉଠିଲେ । ଡାକ୍ତର କୁଆଡେ କହିଲା, ସେ ଓଷଦ ସାଙ୍ଗରେ କିଏ ବିଷ ଦେଇଛି । ମୁଁ ମଝି ଘରେ ବସି ଏକଥା ସବୁ ଭାବୁଛି । ଏହି ସମୟରେ ମିଛି ବୋଉ, ମୋର ଖୁଡିଶାଶୁ ଲେଖା ହେବେ, ମୋ ପାଖକୁ ଆସିକରି କହିଲେ, “ଚଣ୍ଡାଳୁଣୀ, ତୁ ଏ କଥା କଲୁ କାହିଁକି ? ତୋତେ ଏ ବୁଦ୍ଧି ଦେଲା କିଏ ?” ମୁଁ କିଛି ବୁଝି ନପାରି ତାଙ୍କ ମୁହଁକୁ କାବା ହୋଇ ଅନାଇ ରହିଲି ।

 

ବଢି ଭୋରକୁ ପୁଲିଶ୍ ଆସି ପହଞ୍ଚିଲା । ମୁଁ ଓଷଦ ସାଙ୍ଗରେ ବିଷ ଦେଇଛି । ଦୁଇଦିନ ତଳେ କଟକରୁ ଜଣେ ଅପରିଚିତା ସ୍ତ୍ରୀ ଆସି ମୋ ସାଙ୍ଗରେ କଅଣ କଥାବାର୍ତ୍ତା ହୋଇ ଚାଲିଯିବାର ମଧ୍ୟ ସମସ୍ତେ ଦେଖିଥିବାର କହିଲେ । ଦିନ ତିନିଟା ବେଳେ ବୁଢ଼ାର ଶବ ଡାକ୍ତରମାଇନା ପାଇଁ ବାଲେଶ୍ୱର ପଠା ହେଲା ଓ ଖଣ୍ଡିଏ ବଳଦ ଗାଡ଼ିରେ ମୁଁ, ଚୌକିଦାର ଓ କନେଷ୍ଟବଳ ଜଗୁଆଳିରେ ଥାନାକୁ ଚାଲାଣ ହେଲି । ଓଷଦ ଶିଶି, ଓଷଦ ଗିଲାସ, ତଳେ ପଡିଥିବା କାଗଜ, ଯାହାକୁ ଶୋଭୀ ଖଟ ତଳକୁ ଫିଙ୍ଗି ଦେଇଥିଲା, ଓ ଆଉ କଅଣ ସବୁ ପୁଲିଶ ନେଇଗଲା ।

 

ମୋ କଥା କେହି ଶୁଣିଲେ ନାହିଁ । ବିଶେଷତଃ ମୋ ମନର ଅବସ୍ଥା ଏପରି ହୋଇଥାଏ ଯେ ମୁଁ କେତେବେଳେ କଅଣ କହିଲି, ତା ମଧ୍ୟ ମୁଁ ନିଜେ ବୁଝିପାରିଲି ନାହିଁ । ତଳ କୋଟ ଓ ଉପର କୋଟରେ ମୁଁ ଦୋଷୀ ବୋଲି ସାବ୍ୟସ୍ତ ହେଲି । ବିଶେଷତଃ ମୋହନଙ୍କ କଥାରେ ମୁଁ ଯେଉଁ ଚିଠି ଖଣ୍ଡିକ ଡାକ୍ତର ପାଖକୁ ଲେଖିଥିଲି, ସେହି ଖଣ୍ଡିକ ମୋ ବିପକ୍ଷରେ ବଡ ପ୍ରମାଣ ସ୍ୱରୂପ ହେଲା । ବାପା ମୋ ପାଇଁ ଖୁବ୍ ଲଢିଲେ, ମାତ୍ର ଶେଷରେ ମତେ ଦ୍ୱୀପାନ୍ତର ହୁକୁମ ହେଲା ।

 

ମୁଁ ମଣିଷ ହୋଇ ନଥାଏ, କାଠ ପାଲଟି ଯାଇଥାଏ । ମନେ ମନେ ଭାବିଲି, ଏ ଦୁନିଆରେ ଦିଅଁ ଦେବତା ନାହାନ୍ତି, ଧର୍ମ୍ମ ନାହି, ସବୁ ମିଛ । ରେଳ ଓ ଜାହାଜରେ କେତେ ଦିନ କଟାଇ ଯାଇକରି ଆଣ୍ଡାମାନ ଦ୍ୱୀପରେ ରହିଲି । କଇଦୀ ଜୀବନ କ୍ରମେ କ୍ରମେ ଦେହସୁହା ହୋଇଗଲା । ବାରବର୍ଷ ପରେ ଛାଡ଼ ପାଇଲି । ମତେ ସେଠାରେ ରହିବାକୁ ବା ଦେଶକୁ ଯିବାକୁ ପଚରା ଗଲା । ମୋର ଆଉ ଦେଶକୁ ଯାଇଁ ଏ ପୋଡ଼ା ମୁହଁ ଦେଖାଇବାକୁ ଇଚ୍ଛା ନଥାଏ, ତେବେ ଥରେ ମାତ୍ର ମାଷ୍ଟରଙ୍କ ସାଙ୍ଗରେ ଦେଖା କରି ତାଙ୍କୁ ଏ ନିଲଠା ଜୀବନର କରୁଣ କାହାଣୀ କହିବି ବୋଲି ମନରେ ଭାରି ଆଗ୍ରହ ହେଲା । ଦେଶକୁ ଯିବାକୁ କହିଲି । ଏକ ସ୍ଥାନରେ ଏପରି କି ପରସ୍ପରର ଏତେ ନିକଟରେ ଥାଇକରି ମଧ୍ୟ ଏକ ମୁହୂର୍ତ୍ତ ପାଇଁ ସୁଦ୍ଧା ମାଷ୍ଟରଙ୍କ ସାଙ୍ଗରେ ମୋର ଦେଖା ହୋଇ ନ ଥିଲା । ଧବଳେଶ୍ୱରଙ୍କଠାରୁ ଫେରିବା ଦିନରୁ, ସେ ଦିନ ଜାହାଜ ଉପରେ ପ୍ରଥମ ଦେଖା ।

 

ରାତି ଅଧିକ ନ ହେଲେ ମଧ୍ୟ ଖାତାରେ ସେହି ପର୍ଯ୍ୟନ୍ତ ଲେଖା ଥିବାରୁ ସେତିକିରେ ବନ୍ଦ ହେଲା ।

 

ମୁଁ କହିଲି- ଆଜି ପ୍ରାୟ ମୋ କାମ ଶେଷ ହେଲା । କାଲି ସକାଳେ କିଛି କିଣାକିଣି କରିବି । କାଲି ରାତି ବାରଟା ଗାଡିରେ କଟକ ଯିବି ।

 

ମିଆଁ ସାହେବ- ତାହା ହେଲେ ଆପଣ ବିଛଣାପତ୍ର ଘେନି ସନ୍ଧ୍ୟାକୁ ଆମ ବସାକୁ ଆସିବେ । ମୁଁ ଷ୍ଟେଶନକୁ ଯିବାପାଇଁ ଗାଡ଼ି ବରାଦ କରିଥିବି । ଖାଇକରି ଏହିଠାରୁ ଯିବେ । ମୁଁ ହଁ ମାରି ହୋଟେଲକୁ ଫେରିଲି ।

 

ନବମ ସନ୍ଧ୍ୟା

      ସନ୍ଧ୍ୟାକୁ ବିଛଣାପତ୍ର ଘେନି ମିଆଁ ସାହେବଙ୍କ ବସାରେ ପହଞ୍ଚିଲି । ଆଜି ଅନେକ ପ୍ରକାର ପିଠାପଣା, ଖାଇକରି ଦାଣ୍ଡ ଘରେ ବସିଲୁ । ମିଆଁ ସାହେବ ଆରମ୍ଭ କଲେ:-

 

ଜାହାଜରେ ରଜନୀ ମୋ ଆଗରେ ତା ଜୀବନର ସମସ୍ତ କଥା କହିଲେ ଓ ମୋ କଥାତକ ସବୁ ଶୁଣିଲେ । କେତେ ଦିନ ପରେ ବାଲେଶ୍ୱର ଜେଲରେ ଆସି ପହଞ୍ଚିଲୁ । ଭୋଗରାଇ ଥାନାକୁ ଯିବା ପୂର୍ବରୁ ଜେଲର ବାବୁ ମତେ ଡାକି କରି କହିଲେ, “ତୁମେ ଭଲ ଗାଲିଚା ଓ ସତରଞ୍ଜି ବୁଣି ଜାଣ ବୋଲି ରିପୋର୍ଟ ଆସିଛି । ଜେଲର କଇଦିମାନଙ୍କୁ ଗାଲିଚା ଓ ସତରଞ୍ଜି ବୁଣା ଶିଖାଇବା ପାଇଁ ଜଣେ ଶିକ୍ଷକ ଦରକାର । ଯଦି ଇଚ୍ଛା ଥାଏ, ତେବେ ତିରିଶ ଟଙ୍କା ଦରମାରେ ମୁଁ ତୁମକୁ ନିଯୁକ୍ତ କରିବି । ଏହି ଦୁଇ ଚାରିଦିନ ମଧ୍ୟରେ ଆସ ।” ମୁଁ ସମ୍ମତ ହୋଇ ରଜନୀ ସାଙ୍ଗରେ ପୁଲିଶ ପହରାରେ ଭୋଗରାଇ ଥାନାକୁ ଆସିଲି । ଯିରାପୁର ଓ ପଦ୍ମପୋଖରୀ ଗ୍ରାମଦୁଇଟି ଭୋଗରାଇ ଥାନା ମଧ୍ୟରେଆମ ଦୁହିଁକୁ କିଛି ବାଟ ଖରଚ ନେଇ ସେଠାରୁ ଛାଡ଼ି ଦେଲେ । ଦୁହେଁଯାକ ବାଲେଶ୍ୱର ଫେରିଲୁ । ବାଟରେ ରାତି ହେଲା । ବୋଧହୁଏ ମାଘ ପୂର୍ଣ୍ଣମୀ ଆଖପାଖ ହେବ । ଚନ୍ଦ୍ର ପଡ଼ିଛନ୍ତି । ଚାରିଆଡ଼େ ଆମ୍ୱଗଛ ସବୁ ବଉଳରେ ଭାଙ୍ଗି ପଡ଼ୁଛି । ତାର ଉଛୁଳା ମହକରେ ପ୍ରାଣ ଉନ୍ମତ୍ତ ହୋଇ ଉଠୁଛି । ଚୋରା ମଳୟର କାଉଁରୀ ସ୍ପର୍ଶରେ ଦେହ ଉଲ୍ଲସି ଉଠୁଥାଏ । ଚାରିଆଡ଼ ନିର୍ଜନ, ନିଶବ୍ଦ ! କେବଳ ଗଗନର କେଉଁ ନିଭୃତ ପୀଠରେ ଚକୋର ବଧୂର କଳ ସଙ୍ଗୀତ ଭାସି ଆସି ଏକ ମାୟାପୁର ସୁଖ ସଙ୍ଗୀତ କାନରେ ବଜାଇ ମନ ମଧ୍ୟରେ ଅତୃପ୍ତ ବାସନାର ଅଗ୍ନି ଜାଳି ଦେଉଥାଏ । ରାସ୍ତା କଡ଼ରେ ଗୋଟିଏ ପଥର ଉପରେ ବସିଲି । ରଜନୀକୁ ଆଣି କୋଡ଼ରେ ବସାଇ ପଚାରିଲି, “ରଜନୀ ! ମୁଁ ତୁମର କଅଣ ?” ରଜନୀ ଟିକିଏ ମାତ୍ର ରହିଯାଇ ଲାଜ ଲାଜ ହୋଇ କହିଲା, “ସ୍ୱାମୀ, ଦେବତା, ଗୁରୁ ।” ମୁଁ କହିଲି “ରଜନୀ । ବହୁଦିନ ପରେ ଆଜି ଆମେ ଦୁହେଁ ଭଗବାନଙ୍କ ମୁକ୍ତ ରାଜ୍ୟର ମୁକ୍ତ ପ୍ରଜା । ସମାଜ ଆମ ଦୁହିଁଙ୍କି ବିଚ୍ଛିନ୍ନ କରିବାପାଇଁ ତାର ସମସ୍ତ ଚେଷ୍ଟା କରି ପରାସ୍ତ ହେଲା । ମୃତ୍ୟୁ ବ୍ୟତୀତ ଆଉ କେହି ଆମ ଦୁହିଁଙ୍କି ବିଚ୍ଛିନ୍ନ କରି ପାରିବ ନାହିଁ । ଆଜି ଏଠାରେ ସର୍ବନିୟନ୍ତା ସର୍ବସାକ୍ଷୀଙ୍କର ପୌରୋହିତ୍ୟରେ ଆମ୍ଭ ଦୁହିଁଙ୍କର ବିଭାଘର ।” ରଜନୀ ଅର୍ଦ୍ଧ ମୁଦ୍ରିତ ଚକ୍ଷୁ ହୋଇ ମୋ କାନ୍ଧ ଉପରକୁ ଢ଼ଳି ପଡ଼ିଲା ।

*            *            *            *            *

ପାହାନ୍ତିଆ ପହରକୁ ପୁଣି ଚାଲିଲୁ । ବାଲେଶ୍ୱରରେ ପହଞ୍ଚି ଖଣ୍ଡିଏ ବସା ଠିକ୍‌କରି ରହିଲୁ । ଦୁଇ ଚାରିଦିନ ପରେ ଜେଲରେ ଚାକିରି କଲି । ବଡ଼ ଆନନ୍ଦରେ ଦିନଗୁଡ଼ିକ କଟିଗଲା ।

 

କିଛିଦିନ ପରେ ରଜନୀର ଗର୍ଭଲକ୍ଷଣ ପ୍ରକାଶ ପାଇଲା । ମୁଁ ଦିନେ ବସିକରି ଭାବିଲି, “ଆହା ଯେଉଁ ହତଭାଗ୍ୟଟି ଆମ କୋଳରେ ଜନ୍ମ ହେବ, ସେ ଜାରଜ ସନ୍ତାନର ଛାପା ମୁଣ୍ଡରେ ଘେନି ଜନ୍ମ ହେବ । ବହୁତ ବ୍ରାହ୍ମଣ ପଣ୍ଡିତ ଓ ପୁରୋହିତଙ୍କର ଦ୍ୱାରସ୍ଥ ହେଲି । ରଜନୀ ଓ ମୋର ବିବାହ ପ୍ରସଙ୍ଗ ଘେନି । ମାତ୍ର କେହି ଏ ବିବାହରେ ମତ ଦେଲେ ନାହିଁ । ମୁଁ ସମାଜର ପାଦ ତଳେ ଆଶ୍ରୟ ଲୋଡ଼ିଲି । ମାତ୍ର ସମାଜ ଆମ୍ଭମାନଙ୍କପରି ଦୁଇଟି ନିର୍ଦ୍ଦୋଷ ପ୍ରାଣୀଙ୍କୁ ପଦାଘାତ କରି ଦୂରକୁ ଫିଙ୍ଗି ଦେଲା । ମନରେ ବଡ଼ କଷ୍ଟ ହେଲା । ଜଣେ ମୁସଲମାନ ବନ୍ଧୁଙ୍କର ପରାମର୍ଶରେ ଇସ୍‌ଲାମ ଧର୍ମର ଆଶ୍ରୟ ନେଲି । ଇସ୍‌ଲାମ ଧର୍ମ ଆମ୍ଭ ଦୁହିଁଙ୍କୁ ବଡ଼ ଆଦର ସହକାରେ କୋଳକୁ ଟାଣି ନେଲା । ସେହିଦିନଠାରୁ ମୋ ନା ପିତାମ୍ୱର ଦାସ ପରିବର୍ତ୍ତରେ ପିତୁଖାଁ ଓ ରଜନୀ ଦେବୀଙ୍କର ରଜିଆବିବି ନାମ କରଣ ହେଲା ।”

 

ଏଥି ମଧ୍ୟରେ ଶୁଣିଲୁ ଯେ ମୋର ଆଶ୍ରୟଦାତା ନରେନ୍ଦ୍ରବାବୁଙ୍କର ପରଲୋକ ହୋଇ ଯାଇଅଛି ଓ ମୋହନଙ୍କ ଘରେ ଡକାଇତ ପଶି ତାଙ୍କୁ ଖଣ୍ଡ ଖଣ୍ଡ କରି ହାଣି ସର୍ବସ୍ୱ ବୋହି ନେଇଛନ୍ତି ।

 

ମୁଁ ଧର୍ମାନ୍ତର ଗ୍ରହଣ କରିବାରୁ ହିନ୍ଦୁମାନଙ୍କର ଅତିଶୟ ଚକ୍ଷୁଶୂଳ ହେଲି । ପ୍ରତ୍ୟକ୍ଷ ଓ ପରେକ୍ଷରେ ଆମ୍ଭ ଦୁହିଁଙ୍କର ଅତି କୁତ୍ସିତ ସମାଲୋଚନା ଚାଲିଲା । କ୍ରମେ କ୍ରମେ ସେ ସବୁ ଏପରି ଅସହ୍ୟ ହେଲା ଯେ, ଆମେ ବାଲେଶ୍ୱର ଛାଡ଼ିବାକୁ ବାଧ୍ୟହେଲୁ । ରଜିଆବିବିଙ୍କୁ ଘେନି ଏଠାକୁ ପଳାଇ ଆସିଲି ଓ ସୌଭାଗ୍ୟକୁ ଏଠାରେ ଗୋଟିଏ ଶତରଞ୍ଜି ଓ ଗାଲିଚା ବୁଣା କୋମ୍ପାନୀରେ ଷାଠିଏ ଟଙ୍କା ଦରମାରେ ଭଲ କାମ ଖଣ୍ଡିଏ ଜୁଟିଗଲା । ସେହିଦିନଠାରୁ ଏଠାରେ ଖୁବ୍ ଆନନ୍ଦରେ ରହିଲୁ । ଏଠାରେ ମୋର ଗୋଟିଏ ପୁଅ ହୋଇ ମରିଗଲା । ବେଳେ ବେଳେ ଦେଶ କଥା, ଭାଇବନ୍ଧୁ କୁଟୁମ୍ୱଙ୍କ କଥା ମନେ ପଡ଼ି ମନଟା ଘାଣ୍ଟି ଚକଟି ହୁଏ, ମାତ୍ର ପରକ୍ଷଣରେ ରଜିଆବିବିଙ୍କର ସ୍ନେହ ସୁହାଗରେ ସବୁ ଦୁଃଖ ପାଶୋର ହୋଇଯାଏ ।

 

ଏହି ସମୟରେ ଗାଡିବାଲା ଆସି ଡାକିଲା । ମୋ ଲୁଗାପଟା ଗାଡ଼ିରେ ଲଦା ହେଲା । ରଜିଆବିବି ଗୋଟିଏ ରୂପା ପାନବଟା ଓ “ଭୁଲିଯିବ ନାହିଁ” ବୋଲି ନାଲି ସ୍ମୃତିରେ ଲେଖାଥିବା ଖଣ୍ଡିଏ ରୁମାଲ ମତେ ଉପହାର ଦେଲେ । ବିଦାୟ ସମୟରେ ତାଙ୍କର ଦୁଇ ଆଖି ଲୁହରେ ପୂରିଗଲା । ମୋର ଏ ଦେଶଧର୍ମ ପରିତ୍ୟକ୍ତ ଦମ୍ପତିଙ୍କ ଉପରେ ଗୋଟାଏ ମାୟାମମତା ଲାଗି ଯାଇଥିଲା । ମୁଁ ମଧ୍ୟ ଆଦ୍ର ନୟନରେ ତାଙ୍କଠାରୁ ବିଦାୟ ନେଲି ।

 

ମୋ ଗଣ୍ଠିରାପତ୍ର ଗାଡ଼ିରେ ପୂର୍ବରୁ ଲଦା ହୋଇଥିଲା । ମିଆଁ ସାହେବଙ୍କଠାରୁ ବିଦାୟ ନେବାକୁ ଯାଉଥିଲି, ମାତ୍ର ସେ କହିଲେ ଯେ, ସେ ମତେ ବଳାଇ ଦେବାପାଇଁ ଷ୍ଟେଶନ ପର୍ଯ୍ୟନ୍ତ ଯିବେ । ଦୁହେଁଯାକ ଆସି ଷ୍ଟେଶନରେ ପହଞ୍ଚିଲୁ । ଟିକିଟ୍ କାଟି ଗାଡ଼ିରେ ବସିଲି । ମିଆଁ ସାହେବ ମଧ୍ୟ ମୋ ପାଖରେ ଆସି ବସି ବଡ଼ ବିରସ ବଦନରେ କହିଲେ, “ବାବୁସାହେବ ! ଏଥର ମାନ୍ଦ୍ରାଜ ଆସିଲେ ଆମ ବସାରେ ଅତିଥି ହେବେ ।” ମୁଁ ଏ ସମାଜ ପରିତ୍ୟକ୍ତ ବନ୍ଧୁଙ୍କର ସସ୍ନେହ ଅନୁରୋଧ ରକ୍ଷା କରିବି ବୋଲି ପ୍ରତିଶ୍ରୁତି ଦେଲି । ଗାଡ଼ି ଛାଡ଼ିବାର ହ୍ୱିଶିଲ୍ ହେଲା, ମିଆଁ ସାହେବ ଗାଡ଼ିରୁ ଓହ୍ଲାଇ ମୁଁ ବସିଥିବା ଝରକା ପାଖରେ ତଳେ ଠିଆ ହେଲେ । ଗାଡ଼ି ଚାଲିଲା । ସେ ତ୍ୱରିତ ପଦରେ ଦୁଇ ଚାରି ପାଉଣ୍ଡ ଆଗେଇଲେ । ଗାଡ଼ିର ଗତି ବଢ଼ିବାରୁ ମୁଁ କହିଲି, “ଥାଆନ୍ତୁ ସଲାମ୍ ଆଲେକମ୍ ।” ମିଆଁ ସାହେବ ଦୁଇହାତ ମୁଣ୍ଡରେ ଲଗାଇ କହିଲେ, “ନମସ୍କାର” । ଗାଡ଼ି ଚାଲିଲା । ମିଆଁ ସାହେବ ଅଦୃଶ୍ୟ ହୋଇଗଲେ, ମାତ୍ର ତାଙ୍କର ସେ ବ୍ୟଥାଭରା “ନମସ୍କାର” ପଦଟି ମୋ କାନରେ ଲାଗି ରହିଲା ।

ସ ମା ପ୍ତ